Categories: ଜାତୀୟ

୫ହଜାର କଂଗ୍ରେସ ନେତାଙ୍କ ଆକାଉଣ୍ଟ ବନ୍ଦ କଲା ଟୁଇଟର: ରାହୁଲ କହିଲେ, ଏହା ଲକ୍ଷାଧିକ ଫଲୋଅର୍ସଙ୍କ ଅପମାନ

ନୂଆଦିଲ୍ଲୀ,୧୩।୮: ମାଇକ୍ରୋ ବ୍ଲଗିଙ୍ଗ୍‌ ସାଇଟ୍‌ ଟୁଇଟର କଂଗ୍ରେସର ଅଫିସିଆଲ ଆକାଉଣ୍ଟ ସହ ୫ହଜାରରୁ ଊର୍ଦ୍ଧ୍ୱ ଦଳର ନେତାଙ୍କ ଆକାଉଣ୍ଟକୁ ବନ୍ଦ କରିଦେଇଛି। ଏନେଇ କଂଗ୍ରେସ ଅଭିଯୋଗ ଆଣିଛି। କଂଗ୍ରେସ ନେତାଙ୍କ ବିରୋଧରେ ଟୁଇଟରର ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଯାହାଫଳରେ ଟୁଇଟର ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅନ୍ୟପଟେ ଟୁଇଟରର ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ତାଙ୍କ ଆକାଉଣ୍ଟ ବନ୍ଦ କରିବା ଲକ୍ଷାଧିକ ଫଲୋଅର୍ସଙ୍କ ଅପମାନ। ଏହା କେବଳ ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣ ନୁହେଁ ବରଂ ଗଣତନ୍ତ୍ର ବ୍ୟବସ୍ଥା ଉପରେ ଆକ୍ରମଣ। ବର୍ତ୍ତମାନ ଦେଶର ଗଣତନ୍ତ୍ର ବିପଦରେ ରହିଛି ବୋଲି ରାହୁଲ କହିଛନ୍ତି। ଏଥିସହ ଏହାକୁ ନେଇ ରାହୁଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଟୁଇଟର ସରକାରଙ୍କ ଚାପରେ କାର୍ଯ୍ୟ କରୁଛି। ଆକାଉଣ୍ଟ ବନ୍ଦ କରି ସରକାର କଂଗ୍ରେସର ରାଜନୈତିକ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଛନ୍ତି। ଏହା ଦେଶର ଗଣତାନ୍ତ୍ରିକ ଗଠନ ଉପରେ ଆକ୍ରମଣ, ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣ ନୁହେଁ। ଟୁଇଟରରେ ରାହୁଲଙ୍କ ୨କୋଟିରୁ ଅଧିକ ଫଲୋଅର୍ସ ଅଛନ୍ତି। ଆକାଉଣ୍ଟ ବନ୍ଦ କରି ଫଲୋଅର୍ସଙ୍କ ବିଚାରଧାରାକୁ କ୍ଷୁଣ୍ଣ କରାଯାଉଛି ବୋଲି ରାହୁଲ କହିଛନ୍ତି।

Share