Categories: ଜାତୀୟ

ହାତରେ ମଶାଲ, ଶିବାଜୀ ମହାରାଜଙ୍କୁ ପ୍ରଣାମ କରି ମହାରାଷ୍ଟ୍ର ପହଞ୍ଚିଲା ରାହୁଲଙ୍କ ଭାରତ ଯୋଡୋ ଯାତ୍ରା

ମୁମ୍ବାଇ,୮ ।୧୧: କଂଗ୍ରେସର ଭାରତ ଯୋଡୋ ଯାତ୍ରା ମହାରାଷ୍ଟ୍ର ପହଞ୍ଚି ଯାଇଛି, ଯାହା ୧ ମାସ ପୂର୍ବରୁ କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା । ଏହା କର୍ନାଟକରୁ ତେଲେଙ୍ଗାନା ଓ ଏବେ ମହାରାଷ୍ଟ୍ରରେ ପହଞ୍ଚିଛି । ମହାରାଷ୍ଟ୍ର ମାଟିରେ ପାଦ ରଖି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆରାଧ୍ୟ ଦେବତା ଛତ୍ରପତି ଶିବାଜୀ ମହାରାଜ, ମହାତ୍ମା ବସବେଶ୍ୱର, ମହାତ୍ମା ଜ୍ୟୋତିବା, ମହାପୁରୁଷ ଡା. ବାବାସାହେବ ଆମ୍ବେଦକର, ପୂଣ୍ଣ୍ୟଶ୍ଳୋକ ଅହିଲ୍ୟାଦେବୀ ହୋଲକର, ଅନ୍ନାଭାଇ ସାଠେଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସେମାନଙ୍କୁ ପ୍ରଣାମ କରିଛନ୍ତି ।
ସୋମବାର ରାତିରେ ରାହୁଲ ଗାନ୍ଧୀ ମହାରାଷ୍ଟ୍ରରେ ପହଞ୍ଚିବା ପରେ ତାଙ୍କୁ ମରାଠି ଢଙ୍ଗରେ ଯୋରଦାର ସ୍ୱାଗତ କରାଯାଇଛି । ଏହି ଅବସରରେ ରାହୁଲ ଗାନ୍ଧୀ ଦେଗଲୁରରେ ହଜାର ହଜାର ସଂଖ୍ୟାରେ ଜମା ହୋଇଥିବା ଲୋକଙ୍କୁ ସମ୍ବୋଧିତ କରିଛନ୍ତି । ସେ ତାଙ୍କ ଭାଷଣର ଆରମ୍ଭ ଛତ୍ରପତି ଶିବାଜୀ ମହାରାଜ କି ଜୟ କହି ଆରମ୍ଭ କରିଥିଲେ । ସେ କହିଥିଲେ ଗର୍ବର କଥା ହେଉଛି ଯେ ମହାରାଷ୍ଟ୍ରରେ ଛତ୍ରପତି ଶିବାଜୀ ମହାରାଜଙ୍କ ଆଶୀର୍ବାଦ ନେଇ ଭାରତ ଯୋଡୋ ଯାତ୍ରା ଆରମ୍ଭ କରାଯାଇଛି । ସେ କହିଥିଲେ ଏବେ ଦେଶରେ କିଛି ଜ୍ୱଳନ୍ତ ସମସ୍ୟା ରହିଛି ହେଲେ ସରକାର ଏହା ପ୍ରତି ଦୃଷ୍ଟି ଦେଉ ନାହାନ୍ତି । ଏହି ସରକାର କେବଳ ୪-୫ ଜଣ ପୁଞ୍ଜିପତିଙ୍କ ପାଇଁ କାମ କରୁଛନ୍ତି । ନୋଟବନ୍ଦି ଦେଶରେ କ୍ଷୁଦ୍ର ବ୍ୟବସାୟୀଙ୍କ ଜିବିକାକୁ ଠପ କରିଦେଲା । ଏବେ ୪୦୦ ଟଙ୍କାର ଗ୍ୟାସ ସିଲିଣ୍ଡର ୧୧୦୦ ଟଙ୍କା ହେଲାଣି, ପେଟ୍ରୋଲ ଡିଜେଲ ୧୦୦ ଟଙ୍କା ଉପରକୁ ଗଲାଣି । ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ନେଇ ଗୋଟିଏ ବି ଶବ୍ଦ କହୁ ନାହାନ୍ତି ।

Share