ନୂଆଦିଲ୍ଲୀ,୧୨।୭: ମୋଦି ଉପନାମ ସହ ଜଡିତ ମାନହାନୀ ମାମଲାରେ ଗୁଜରାଟ ହାଇକୋର୍ଟରୁ ଝଟ୍କା ଲାଗିଥିବା ରାହୁଲ ଗାନ୍ଧୀ ଏବେ ସୁପ୍ରିମକୋର୍ଟଙ୍କ ଭରସା ରଖିଛନ୍ତି। କିନ୍ତୁ ଏଠାରେ ମଧ୍ୟ ଅଭିଯୋଗକାରୀ ତଥା ଭାଜପା ବିଧାୟକ ପୂର୍ଣ୍ଣେଶ ମୋଦି ତାଙ୍କୁ ପୁଣି ଝଟ୍କା ଦେବା ଚକ୍କରରେ ଅଛନ୍ତି। ମୋଦି ଉପନାମ ମାମଲାରେ ପୂର୍ଣ୍ଣେଶ ସୁପ୍ରିମକୋର୍ଟରେ ଏକ କାଭିଟ ବା ନିଷେଧ ପତ୍ର ରୁଜୁ କରିଛନ୍ତି। ଏଥିରେ ପୂର୍ଣ୍ଣେଶ କହିଛନ୍ତି, ଯଦି ଗୁଜୁରାଟ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟରେ ଆବେଦନ କରିବେ, ତା’ହେଲେ ତାଙ୍କ ପକ୍ଷର ମଧ୍ୟ ଶୁଣାଣି ହେବା ଉଚିତ। ସେମାନଙ୍କ ପକ୍ଷ ଶୁଣିବା ବିନା କୌଣସି ଆଦେଶ ଦିଆଯିବା ନ ଯାଉ। ବର୍ତ୍ତମାନ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇ ନାହାଁନ୍ତି, କିନ୍ତୁ ଆଶା କରାଯାଉଛି ଯେ ସେ ଖୁବ ଶୀଘ୍ର ସୁପ୍ରିମକୋର୍ଟରେ ଗୁଜରାଟ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିବେ।
ସୁପ୍ରିମକୋର୍ଟ ୨୦୧୯ ଲୋକ ସଭା ନିର୍ବାଚନ ବେଳେ ରାହୁଲ ଗାନ୍ଧୀ ‘ମୋଦି ଉପନାମ’ ଉପରେ ଏକ ବିବୃତ୍ତି ଦେଇଥିଲେ। ଏନେଇ ଭାଜପା ବିଧାୟକ ପୂର୍ଣ୍ଣେଶ ମୋଦି ଏକ ମାମଲା ରୁଜୁ କରିଥିଲେ। ଏହି ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହା ପରେ ମାର୍ଚ୍ଚ ୨୪ରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ବାତିଲ କରାଯାଇଥିଲା। ରାହୁଲ ଗାନ୍ଧୀ ସୁରଟ ସେସନ୍ସ କୋର୍ଟର ନିଷ୍ପତ୍ତି ବିରୋଧରେ ଗୁଜରାଟ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ମଧ୍ୟ ତାଙ୍କ ଆଶ୍ୱସ୍ତି ମିଳିନାହିଁ। ଏହା ପରେ ହାଇକୋର୍ଟରେ ଏହାର ନିଷ୍ପତ୍ତିକୁ ପୁନର୍ବିଚାର କରିବାକୁ ଆବେଦନ କରାଯାଇଥିଲା।