Categories: ଜାତୀୟ

ଅଗ୍ନିପଥ ଯୋଜନାକୁ ନେଇ ବିଜୟଭର୍ଗିୟଙ୍କ ବିବାଦୀୟ ବୟାନର ଜବାବ ରଖିଲେ ରାହୁଲ

ନୂଆଦିଲ୍ଲୀ,୨୦ ।୬: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ଚାଲିଛି ବିରୋଧ ପ୍ରଦର୍ଶନ । ଏହାରି ଭିତରେ ରବିବାର ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ମହାସଚିବ କୈଳାସ ବିଜୟଭର୍ଗିୟ ଅଗ୍ନିପଥ ଯୋଜନାକୁ ନେଇ ଯେଉଁ ବୟାନ ଦେଇଛନ୍ତି ଏବେ ତାହା ବିବାଦ ଘେରକୁ ଚାଲିଆସିଛି । ଏହାର ଜବାବରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ରବିବାର ରାହୁଲ ଟୁଇଟ କରି କହିଛନ୍ତି , ଯିଏ ସ୍ୱାଧିନତାର ୫୨ ବର୍ଷ ପର୍ଯ୍ୟନ୍ତ ତ୍ରିରଙ୍ଗା ଉଡାଇ ନାହାନ୍ତି, ସେମାନଙ୍କଠାରୁ ଯବାନଙ୍କୁ ସମ୍ମାନ ଦେବା ଆଶା କରାଯାଇ ନ ପାରେ । ରାହୁଲ ଆହୁରି ମଧ୍ୟ କହିଛନ୍ତି ଯୁବକମାନେ ସେନାରେ ଭର୍ତ୍ତି ହେବାର ଲକ୍ଷ୍ୟ ଚୌକିଦାର ହୋଇ ଭାଜପା କାର୍ଯ୍ୟାଳୟକୁ ସୁରକ୍ଷା ଦେବା ପାଇଁ ନୁହେଁ, ଦେଶର ରକ୍ଷା କରିବାକୁ ହୋଇଥାଏ । ବିଜୟଭର୍ଗିୟଙ୍କ ବୟାନ ପରେ ପ୍ରଧାନମନ୍ତ୍ରୀ ଚୁପ ରହିବା ଏହା ଉପରେ ମୋହର ମାରିବା ସଦୃଶ ।
ସୂଚନାଯୋଗ୍ୟ, ଅଗ୍ନିପଥ ଯୋଜନାକୁ ନେଇ ବିଜୟଭର୍ଗିୟ ଇନ୍ଦୋରରେ କହିଥିଲେ, ଭାଜପା କାର୍ଯ୍ୟାଳୟରେ ଆମକୁ ଯଦି ସିକ୍ୟୁରିଟି ଗାର୍ଡଙ୍କ ଆବଶ୍ୟକତା ପଡେ ତେବେ ଅଗ୍ନିବୀରଙ୍କୁ ପ୍ରାଥମିକତା ଦିଆଯିବ । ହେଲେ ଯେତେବେଳେ ତାଙ୍କର ଏହି ବୟାନକୁ ନେଇ ବିବାଦ ମୁଣ୍ଡ ଟେକିଲା ସେତେବେଳେ ବିଜୟଭର୍ଗିୟ ସଫେଇ ଦେଇ କହିଛନ୍ତି ଯେ ଟୁଲକିଟ ସହ ଜଡିତ ଲୋକେ ମୋ ବୟାନକୁ ଓଲଟା ସିଧା କରି ପ୍ରସ୍ତୁତ କରି କର୍ମବୀରଙ୍କ ଅପମାନ କରିବାକୁ ଚେଷ୍ଟା କରୁଛନ୍ତି ।

Share