Categories: ଜାତୀୟ

ରାହୁଲ ଗାନ୍ଧୀ ଜଣେ ସାଧାରଣ ଏମ୍‌ପି, ତାଙ୍କୁ ଏତେ ଗୁରୁତ୍ୱ ଦେବା ଉଚିତ୍‌ ନୁହେଁ: ଲକ୍ଷ୍ମଣ ସିଂ

ଭୋପାଳ,୩୧।୧୨: ରାହୁଲ ଗାନ୍ଧୀ ଜଣେ ସାଧାରଣ କର୍ମୀ ତଥା ଏମ୍‌ପି। ତେଣୁ ତାଙ୍କୁ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ ନୁହେଁ କଂଗ୍ରେସର ପୂର୍ବତନ ଏମ୍‌ପି ଲକ୍ଷ୍ମଣ ସିଂ କହିଛନ୍ତି। କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂଙ୍କ ସାନଭାଇ ଲକ୍ଷ୍ମଣ ସିଂ ମଧ୍ୟପ୍ରଦେଶର ଗୁନାସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ।
ପାଞ୍ଚ ଥର ଏମ୍‌ପି ତଥା ତିନିଥର ବିଧାୟକ ଥିବା ଲକ୍ଷ୍ମଣ ସିଂ କହିଛନ୍ତି ଯେ, ରାହୁଲ ଗାନ୍ଧୀ କେବଳ ଜଣେ ଏମ୍‌ପି ଏବଂ ସେ ଦଳର ଅନ୍ୟ ଏମ୍‌ପିଙ୍କ ସହ ସମାନ। କେହି ଜନ୍ମ ଦ୍ୱାରା ନୁହେଁ, ବରଂ ତାଙ୍କର କର୍ମ ଦ୍ୱାରା ମହାନ ହୁଅନ୍ତି। ରାହୁଲ ଗାନ୍ଧୀଙ୍କୁ ଏତେ ମହାନ ନେତା ବୋଲି ଭାବନ୍ତୁ ନାହିଁ, ମୁଁ ମଧ୍ୟ ଭାବୁନାହିଁ। ସେ ଜଣେ ସାଧାରଣ ଏମ୍‌ପି। ସାମ୍ବାଦିକମାନେ ତାଙ୍କୁ କାହିଁକି ଏବେ ଗୁରୁତ୍ୱ ଦେଉଛନ୍ତି ମୁଁ ବୁଝିପାରୁନାହିଁ।
ସୂଚନାଯୋଗ୍ୟ,ଗତ ମାସରେ ଅନୁଷ୍ଠିତ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ପ୍ରାର୍ଥୀ ପ୍ରିୟଙ୍କା ପେଞ୍ଚି ଗୁନା ଜିଲାର ଚାଚୁରା ବିଧାନସଭା ଆସନରୁ ୬୧,୦୦୦ରୁ ଅଧିକ ଭୋଟରେ ଲକ୍ଷ୍ମଣ ସିଂଙ୍କୁ ପରାସ୍ତ କରିଥିଲେ।

Share