Categories: ଜାତୀୟ

ମୋ ପରିବାରର ଜମ୍ମୁ-କଶ୍ମୀର ସହ ପୁରୁଣା ସମ୍ପର୍କ ରହିଛି, ଏଠାକୁ ଆସି ମୋତେ ଲାଗୁଛି ମୁଁ ଘରକୁ ଆସିଛି: ରାହୁଲ

ଜମ୍ମୁ,୧୦ ।୯: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦୁଇ ଦିବସୀୟ ଜମ୍ମୁ-କଶ୍ମୀର ଗସ୍ତରେ ଶୁକ୍ରବାର ଜମ୍ମୁରେ ପହଞ୍ଚିଛନ୍ତି । ସେଠାରେ ସେ ଦଳୀୟ ବୈଠକରେ ଉଦ୍‌ବୋଧନ ଦେବା ସମୟରେ କହିଛନ୍ତି ଜମ୍ମୁ-କଶ୍ମୀର ସହ ମୋ ପରିବାରର ପୁରୁଣା ସମ୍ପର୍କ ରହିଛି । ଏଠାକୁ ଆସି ମୋତେ ଲାଗୁଛି ମୁଁ ମୋ ଘରକୁ ଆସିଛି । ଦଳକୁ ମଜଭୁତ କରିବାକୁ ସେ ଦଳୀୟ ନେତା ଓ କର୍ମୀଙ୍କ ସହ ଆଲୋଚନା କରିଛନ୍ତି । ଏହାସହ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି ରାହୁଲ । ସେ କହିଛନ୍ତି କେନ୍ଦ୍ର ସରକାରଙ୍କ ନୀତି ଜନ ବିରୋଧି । ଏହି ବୈଠକରେ ପ୍ରଦେଶ ପ୍ରଭାରୀ ରଜନି ପାଟିଲ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବି ଆଜାଦ, ପ୍ରଦେଶ ଅଧ୍ୟକ୍ଷ ଗୁଲାମ ଅହମ୍ମଦ ମିରଙ୍କ ସହ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ । ଅନୁଚ୍ଛେଦ ୩୭୦ ହଟିବା ପରେ ରାହୁଲଙ୍କର ଏହା ପ୍ରଥମ ଜମ୍ମୁ ଗସ୍ତ । ଗତ ଏକ ମାସ ମଧ୍ୟରେ ଦ୍ୱତୀୟ ଥର ଲାଗି ରାହୁଲ ଜମ୍ମୁ-କଶ୍ମୀର ଗସ୍ତ କରିଛନ୍ତି । ଏହାପୂର୍ବରୁ ସେ ୯ ଓ ୧୦ ଅଗଷ୍ଟରେ ଶ୍ରୀନଗର ଆସିଥିଲେ ସେଠାରେ ସେ ଦଳୀୟ କାର୍ଯ୍ୟାଳୟର ଉଦ୍‌ଘାଟନ କରିଥିଲେ ।

Share