Categories: ଜାତୀୟ

ପରିବା ବିକ୍ରେତାଙ୍କ ଘରେ ଲଞ୍ଚ୍‌ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୫।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପନିପରିବା ବିକ୍ରେତା ରାମେଶ୍ୱରଙ୍କୁ ଭେଟିଥିଲେ। ତାଙ୍କ ଘରେ ବସି ତାଙ୍କ ସହିତ ଲଞ୍ଚ୍‌ କରିଥିଲେ। କଂଗ୍ରେସ ଏହାର ଏକ୍ସ (ଟୁଇଟର୍‌) ଆକାଉଣ୍ଟରୁ ଏହାର ଫଟୋ ଶେୟାର କରିଛି। ଏହାପୂର୍ବରୁ ରାମେଶ୍ୱର ଏକ ଭିଡିଓରେ ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଥିଲେ। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ରାମେଶ୍ୱର ଖୁସି ବ୍ୟକ୍ତ କରିଛନ୍ତି।
ରାମେଶ୍ୱରଙ୍କୁ ଭେଟିବା ପରେ ରାହୁଲ କହିଛନ୍ତି ଯେ, ରାମେଶ୍ୱର ଜୀ ଜଣେ ଜୀବନ୍ତ ହୃଦୟ ଥିବା ବ୍ୟକ୍ତି, ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେ ହସନ୍ତି। ତାଙ୍କର ଭିଡିଓ ସାରା ଦେଶକୁ ଥରାଇ ଦେଇଥିଲା। ମୁଦ୍ରାସ୍ଫୀତି ହେତୁ ରାମେଶ୍ୱର ବିକିବା ପାଇଁ ଟମାଟୋ କିଣି ପାରି ନ ଥିଲେ ଏବଂ ତାଙ୍କ ଆଖିରୁ ଲୁହ ଝରି ଯାଇଥିଲା।
ନିକଟରେ ଗଣମାଧ୍ୟମକୁ ଦିଲ୍ଲୀର ଆଜାଦପୁର ମଣ୍ଡିରେ ରାମେଶ୍ୱର ମୂଲ୍ୟ ବୃଦ୍ଧି ବିଷୟରେ କହିଥିଲେ। ଏହି ସମୟରେ ସେ ଭାବପ୍ରବଣ ହେଲେ ଏବଂ ଆଖିରୁ ଲୁହ ଝରି ପଡିଥିଲା। ସେ କହିଥିଲେ ଯେ, ଟମାଟୋ ବହୁତ ମହଙ୍ଗା, ସେଗୁଡିକ କିଣିବାକୁ ମୋର ସାହସ ନାହିଁ। ଏହାସହ ରାମେଶ୍ୱର ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଯଦି ରାହୁଲ ଜୀ ମୋ ପରି ଜଣେ ଛୋଟ ବ୍ୟକ୍ତିଙ୍କୁ ଭେଟନ୍ତି ତେବେ ଏହା ମୋର ସୌଭାଗ୍ୟ ହେବ ବୋଲି ସେ କହିଥିଲେ।
ରମେଶ୍ୱର ଉତ୍ତରପ୍ରଦେଶର କାସଗଞ୍ଜର ବାସିନ୍ଦା। ସେ ଗତ ୧୦-୧୨ ବର୍ଷ ଧରି ଦିଲ୍ଲୀରେ ରହି ଏଠାରେ ପନିପରିବା ବିକ୍ରି କରୁଛନ୍ତି।

Share