Categories: ଜାତୀୟ

ଡବ୍ଲୁଏଫଆଇ ବିବାଦ ମଧ୍ୟରେ ବଜରଙ୍ଗ ପୁନିଆଙ୍କ ସମେତ ଅନ୍ୟ କୁସ୍ତିଯୋଦ୍ଧାଙ୍କୁ ଭେଟିଲେ ରାହୁଲ

ନୂଆଦିଲ୍ଲୀ,୨୭।୧୨: ଭାରତୀୟ କୁସ୍ତି ମହାସଂଘ(ଡବ୍ଲୁଏଫଆଇ)କୁ ନେଇ ବିବାଦ ଦେଖାଦେଇଛି। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ସକାଳେ ହରିୟାଣାର ଝାଜ୍ଜର ଜିଲା ଅନ୍ତର୍ଗତ ଛାରା ଗ୍ରାମରେ ପହଞ୍ଚିଛନ୍ତି। ଏଠାରେ ରାହୁଲ ବିରେନ୍ଦ୍ର ଆର୍ଯ୍ୟ ଆଖଡା ଯାଇ ବଜରଙ୍ଗ ପୁନିଆ ଏବଂ ଅନ୍ୟ କୁସ୍ତି ଖେଳାଳିଙ୍କୁ ଭେଟିଛନ୍ତି। ଯାହାର ଫଟୋ ସାମ୍ନାକୁ ଆସିଛି। କଂଗ୍ରେସ ନେତା କୁସ୍ତିଯୋଦ୍ଧାମାନଙ୍କ ସହ ବସିଥିବାର ନଜର ଆସିଛନ୍ତି। ଛାରା ହେଉଛି ରେସଲର ଦୀପକ ପୁନିଆଙ୍କ ଗାଁ । ଦୀପକ ଏବଂ ବଜରଙ୍ଗ କୁସ୍ତି କ୍ୟାରିୟର ବିରେନ୍ଦ୍ର ଆଖଡାଠାରୁ ଆରମ୍ଭ କରିଥିଲେ।

ନିକଟରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଡବ୍ଲୁଏଫଆଇର ନୂତନ ସଂଗଠନକୁ ବାତିଲ କରିଦେଇଛି । କେବଳ ଏତିକି ନୁହେଁ ନବ ନିର୍ବାଚିତ ଅଧ୍ୟକ୍ଷ ସଞ୍ଜୟ ସିଂଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ସଞ୍ଜୟ ସିଂଙ୍କୁ ଭାଜପା ଏମ୍‌ପି ତଥା ପୂର୍ବତନ ଡବ୍ଲୁଏଫଆଇ ଅଧ୍ୟକ୍ଷ ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ନିକଟତମ। ବ୍ରିଜ୍‌ଭୂଷଣଙ୍କ ଉପରେ ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଉତ୍ପୀଡ଼ନ ଅଭିଯୋଗ ରହିଛି।

Share