ନୂଆଦିଲ୍ଲୀ,୯ ।୭: ଦେଶରେ ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲର ଦାମ୍ ବୃଦ୍ଧି ପାଇ ଆକାଶ ଛୁଆଁ ହୋଇ ସାରିଲାଣି । ଏବେ କମ୍ପ୍ରେସ୍ଡ ନାଚୁରାଲ ଗ୍ୟାସ(ସିଏନ୍ଜି) ଓ ପାଇପ୍ଡ ନାଚୁରାଲ ଗ୍ୟାସ(ପିଏନ୍ଜି)ର ମୂଲ୍ୟ ବୃଦ୍ଧି ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି । କରୋନା ମହାମାରୀ ସମୟରେ ଅନେକେ ରୋଜଗାର ହରାଉଥିବା ବେଳେ ଦେଶରେ ତୈଳ ଦର ବୃଦ୍ଧି ସାଧାରଣ ଲୋକଙ୍କ ନିଦ ହଜାଇ ସାରିଲାଣି । ଏହାକୁ ନେଇ ରାହୁଲ ଟୁଇଟ୍ କରି ଲେଖିଛନ୍ତି, ମହଙ୍ଗା ମାଡର ବିକାଶ ଜାରି ରହିଥିବା ବେଳେ ଅଚ୍ଛେ ଦିନ ଦେଶ ପାଇଁ ଭାରି ପଡିଛି । ସୂଚନାଯୋଗ୍ୟ, ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ(ଆଇଜିଏଲ୍) ସିଏନ୍ଜି ଦାମରେ ୯୦ ପଇସା ପ୍ରତି କିଲୋ ବୃଦ୍ଧି କରିଛି । ପ୍ରାୟତଃ ପ୍ରତି ମାସରେ ତୈଳ ଦର ବୃଦ୍ଧି ସାଧାରଣ ଜନତାଙ୍କ ଜୀବନ ଜୀବିକା ଉପରେ ଖୁବ୍ ପ୍ରଭାବ ପକାଇଛି ବୋଲି ପୂର୍ବରୁ କଂଗ୍ରେସ ଅଭିଯୋଗ କରି ଆସୁଛି ।