Categories: ଜାତୀୟ

ମୋଦିଙ୍କୁ ପ୍ରଶ୍ନ କଲେ ପ୍ରିୟଙ୍କା-ରାହୁଲ

ନୂଆଦିଲ୍ଲୀ,୨ ।୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଗତ ୨ ମାସ ହେବ ବିଭିନ୍ନ ରାଜ୍ୟର କୃଷକ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି । ୨୬ ଜାନୁୟାରୀରେ କୃଷକଙ୍କ ଦ୍ୱାରା ଟ୍ରାକ୍ଟର ରାଲି ବାହାରିବା ପରେ ଆଶାନ୍ତ ହୋଇଛି ଦିଲ୍ଲୀ ପରିବେଶ । ସେଦିନ ଉପୁଜିଥିବା ହିଂସା ପରିସ୍ଥିତିକୁ ନେଇ ଏବେ କେନ୍ଦ୍ର ସରକାର କଡା ପଦକ୍ଷେପମାନ ନେବାରେ ଲାଗିଛନ୍ତି । ଏବେ ଏହାକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ପ୍ରିୟଙ୍କା ଏକ ଭିଡିଓ ଶେୟାର କରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନିଜ କୃଷକଙ୍କ ସହ ଯୁଦ୍ଧ କରୁଛନ୍ତି । ଅନ୍ୟପଟେ ରାହୁଲ ମଧ୍ୟ ସୋସିଆଲ ମିଡିଆରେ ଦିଲ୍ଲୀ ପୋଲିସ ଦ୍ୱାରା ସୀମାରେ କରାଯାଇଥିବା ବାରିକେଡର ଫଟୋ ଶେୟାର କରି ଲେଖିଛନ୍ତି, ପୋଲ ତିଆରି କରନ୍ତୁ ପାଚିରୀ ନୁାହଁ । ସୂଚନାଯୋଗ୍ୟ, ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ଦ୍ୱାରା ହୋଇଥିବା ପ୍ରଦର୍ଶନ ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅନ୍ୟପଟେ ୬ ଫେବୃୟାରୀରେ କୃଷକମାନେ ପୁଣିଥରେ ଚକ ବନ୍ଦ ଡାକରା ଦେଇଛନ୍ତି ।

Share