Categories: ଜାତୀୟ

ଏମ୍‌ପି ପଦ ଫେରିପାଇଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୭ା୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଏମ୍‌ପି ପଦ ଫେରି ପାଇଛନ୍ତି। ଏନେଇ ସୋମବାର ଲୋକ ସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ମୋଦି ସର୍‌ନେମ୍‌ ମାମଲାରେ ରାହୁଲ ତାଙ୍କର ଏମ୍‌ପି ପଦ ହରାଇଥିଲେ। ତେବେ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ମିଳିବା ପରେ ରାହୁଲ ଲୋକ ସଭା ସଚିବଙ୍କ ଦ୍ୱାରା ଓ୍ବାୟାନାଡ ଏମ୍‌ପି ଭାବରେ ପୁନଃ ସ୍ଥାପିତ ହୋଇଛନ୍ତି।

ମାର୍ଚ୍ଚ ୨୪ରେ ସେ ତାଙ୍କ ଏମ୍‌ପି ପଦ ହରାଇଥିଲେ। ମାନହାନି ମାମଲାରେ ରାହୁଲଙ୍କୁ ଚଳିତବର୍ଷ ମାର୍ଚ୍ଚରେ ସୁରଟ କୋର୍ଟ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ ଏବଂ ଗୁଜରାଟ ହାଇକୋର୍ଟ ଜୁଲାଇ ୭ରେ ଏହି ରାୟକୁ କାଏମ ରଖିଥିଲେ। ଏହା ପରେ ରାହୁଲ ସୁପ୍ରିମକୋର୍ଟ ଯାଇଥିଲେ।

ଉଲ୍ଲେଖଯୋଗ୍ୟ, ୧୩ ଏପ୍ରିଲ ୨୦୧୯ରେ, କର୍ନାଟକର କୋଲାରରେ ଏକ ନିର୍ବାଚନ ସମାବେଶକୁ ସମ୍ବୋଧିତ କରି ରାହୁଲ କହିଥିଲେ ଯେ, ସମସ୍ତ ଚୋରଙ୍କ ସର୍‌ନାମ ମୋଦି କାହିଁକି ହୁଏ? ଏହି ପ୍ରସଙ୍ଗରେ ପୂର୍ଣ୍ଣେଶ ମୋଦି ୨୦୧୯ରେ ତାଙ୍କ ବିରୋଧରେ ଆପରାଧିକ ମାନହାନି ମକଦ୍ଦମା ଦାୟର କରିଥିଲେ।

Share