ନୂଆଦିଲ୍ଲୀ,୧୯।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ମଲ୍ଲିକାର୍ଜୁନ ଖାର୍ଗେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଶଶି ଥରୁରଙ୍କୁ ପରାସ୍ତ କରିଛନ୍ତି। ଏବେ ସେ କଂଗ୍ରେସର ନୂଆ ‘ବସ’ ହୋଇଛନ୍ତି। ମୋର ଭୂମିକା କ’ଣ ହେବ ତାହା ନୂଆ ଅଧ୍ୟକ୍ଷ ସ୍ଥିର କରିବେ ବୋଲି ଆନ୍ଧ୍ରପ୍ରଦେଶର କୁଲନୁରରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି।
ଦଳ ପାଇଁ ନୂଆ ଅଧ୍ୟକ୍ଷଙ୍କ ଭୂମିକା କ’ଣ ହେବ ପ୍ରଶ୍ନରେ ରାହୁଲ ଗାନ୍ଧୀ କହିଛନ୍ତି, ମୁଁ କଂଗ୍ରେସ ଅଧ୍ୟକ୍ଷଙ୍କ ଭୂମିକା ଉପରେ କୌଣସି ମନ୍ତବ୍ୟ ଦେଇ ପାରିବି ନାହିଁ, ଖାର୍ଗେ ଜୀ ଏହା ଉପରେ ମନ୍ତବ୍ୟ ଦେବେ। ମୋର ଭୂମିକା ବିଷୟରେ ମୁଁ ସ୍ପଷ୍ଟ। ମୋର ଭୂମିକା କ’ଣ ଏବଂ ମୋତେ କେଉଁଠାରେ ରଖିବେ ତାହା ଅଧ୍ୟକ୍ଷ ସ୍ଥିର କରିବେ। ଏନେଇ ଅଧିକ ଆପଣଙ୍କୁ ଖାର୍ଗେ ଜୀ ଏବଂ ସୋନିଆ ଜୀଙ୍କୁ ପଚାରିବାକୁ ପଡିବ।
ସୂଚନାଯୋଗ୍ୟ, ୨୪ ବର୍ଷ ପରେ ପ୍ରଥମ ଥର ପାଇଁ ଗାନ୍ଧୀ ପରିବାର ବାହାରୁ ଖାର୍ଗେ କଂଗ୍ରେସର ନେତୃତ୍ୱ ନେବେ। ଏହାପୂର୍ବରୁ ସୀତାରାମ କେସରୀ ଅଣଗାନ୍ଧୀ ନେତା ଭାବେ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ।