Categories: ଜାତୀୟ

ହିଂସା ପ୍ରଭାବିତ ମଣିପୁର ଗସ୍ତର ଦ୍ୱିତୀୟ ଦିନରେ ମେଇତି ସମ୍ପ୍ରଦାୟର ଲୋକଙ୍କୁ ଭେଟିଲେ ରାହୁଲ

ଇମ୍ଫାଲ,୩୦।୬: ମଣିପୁରରେ ଗତ ପ୍ରାୟ ଦୁଇ ମାସ ହେବ ଲାଗି ରହିଥିବା ହିଂସା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଜ୍ୟ ଗସ୍ତରେ ଯାଇଛନ୍ତି। ଗସ୍ତର ପ୍ରଥମ ଦିନରେ ସେ ଇମ୍ଫାଲରୁ ୬୩ କିଲୋମିଟର ଦୂର ଚୁରାଚାନ୍ଦପୁରରେ ଥିବା ଆଶ୍ରୟ ସ୍ଥଳରେ ଶରଣ ନେଇଥିବା ଲୋକଙ୍କ ସହ ସାକ୍ଷାତ କରିଥିଲେ। ଏହା ପୂର୍ବରୁ ରାହୁଙ୍କ ଗସ୍ତକୁ ନେଇ ଖୁବ ହଙ୍ଗାମା ବି ହୋଇଥିଲା। ଏବେ ରାହୁଲ ତାଙ୍କ ଗସ୍ତର ଦ୍ୱିତୀୟ ଦିନରେ ହେଲିକପ୍ଟର ଯୋଗେ ବିଷ୍ଣୁପୁର ଜିଲାର ମୋଇରଙ୍ଗ ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ସେ ମେଇତି ସମ୍ପ୍ରଦାୟର ହିଂସା ପ୍ରଭାବିତ ଲୋକଙ୍କ ସହ କଥା ହୋଇଛନ୍ତି ଓ ପୀଡ଼ିତଙ୍କ ଭଲ ମନ୍ଦ ପଚାରି ବୁଝିଛନ୍ତି।

ରାହୁଲ ମେଇତି ସମ୍ପ୍ରଦାୟର ଲୋକଙ୍କୁ ଭେଟିବା ପରେ ଇମ୍ଫାଲକୁ ଫେରିବେ। ଯେଉଁଠାରେ ସେ ସାମାଜିକ କର୍ମୀଙ୍କ ସହିତ ଯୋଗାଯୋଗ କରିବେ। କୁହାଯାଉଛି ଯେ ରାହୁଲ ହିଂସା ବନ୍ଦ କରିବା ସହ ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାକୁ ସାମାଜିକ କର୍ମୀଙ୍କ ସହ କଥା ହେବେ। ଏହା ପରେ ରାହୁଲ ଗାନ୍ଧୀ ନିଜେ ମଣିପୁରରୁ ଏକ ଖବରଦାତା ସମ୍ମିଳନୀ କରିପାରିବେ। ଯେଉଁଥିରେ ସେ ଲୋକଙ୍କ ସହ ବାର୍ତ୍ତାଳାପ ବିଷୟରେ ସୂଚନା ଦେଇପାରିବେ।
ରାହୁଲ ଗୁରୁବାର, ଜୁନ ୨୯ରେ ମଣିପୁରରେ ପହଞ୍ଚିଥିଲେ, କିନ୍ତୁ ବିମାନବନ୍ଦରରେ ଅବତରଣ କରିବାର କିଛି ସମୟ ପରେ ରାହୁଲଙ୍କ କନଭେନକୁ ଅଟକାଯାଇଥିଲା। ସୁରକ୍ଷା କାରଣରୁ ତାଙ୍କୁ ରାସ୍ତାରେ ଯିବାକୁ ପୋଲିସ ଅନୁମତି ଦେଇ ନ ଥିଲା, ଏହା ପରେ ସେ ହେଲିକପ୍ଟର ଯୋଗେ ଚୁରାଚାନ୍ଦପୁରରେ ପହଞ୍ଚି ରିଲିଫ କ୍ୟାମ୍ପରେ ଉପସ୍ଥିତ ଲୋକଙ୍କୁ ଭେଟିଥିଲେ। କଂଗ୍ରେସ ଅଭିଯୋଗ କରିଛି ଯେ ତାଙ୍କ ଗସ୍ତକୁ ରୋକିବା ପାଇଁ ଭାଜପା ସରକାର ଏହା କରିଥିବାବେଳେ ଭାଜପା କହିଛି ଯେ ନେତାଙ୍କ ଗସ୍ତ ମଣିପୁରରେ ମତଭେଦକୁ ଆହୁରି ବଢାଇପାରେ।

Share