ନୂଆଦିଲ୍ଲୀ,୨୧।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଢୁଆ ବଢିବାରେ ଲାଗିଛି। ‘ମୋଦି ’ ସରନେମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ବିରୋଧରେ ରାହୁଲ ଗାନ୍ଧୀ ସୁରଟ କୋର୍ଟରେ ଆବେଦନ କରିଥିଲେ। ତେବେ ଗୁରୁବାର କୋର୍ଟ ଏହି ମାମଲାର ଶୁଣାଣି କରି ଆବେଦନ ଖାରଜ କରିଦେଇଛନ୍ତି। ଏହି ସମୟରେ ଏକ ଖବର ସାମ୍ନାକୁ ଆସିଛି ଯେ, ରାହୁଲ ଗାନ୍ଧୀ ଶନିବାର ତାଙ୍କ ସରକାରୀ ବଙ୍ଗଳା ଛାଡିବେ ବୋଲି ଏକ ସୂତ୍ରରୁ ଜଣାପଡିଛି। ତାଙ୍କର ସବୁ ଜିନିଷ ସୋନିଆ ଗାନ୍ଧୀଙ୍କ ସରକାରୀ ବଙ୍ଗଳାକୁ ସ୍ଥାନାନ୍ତରିତ ହୋଇସାରିଛି। ବର୍ତ୍ତମାନ ରାହୁଲ ହାଇକୋର୍ଟରେ ଆବେଦନ କରିବେ ।
ମାର୍ଚ୍ଚ ୨୩ ରେ, ରାହୁଲ ଗାନ୍ଧୀଙ୍କୁ ‘ମୋଦି ’ ସରନେମ ମାମଲାରେ ଦୁଇ ବର୍ଷ ଦଣ୍ଡିତ କରାଯାଇଥିଲା। ପରଦିନ ଅର୍ଥାତ୍ ମାର୍ଚ୍ଚ ୨୪ରେ ତାଙ୍କର ଲୋକ ସଭା ସଦସ୍ୟତା ମଧ୍ୟ ବାତିଲ କରାଯାଇଥିଲା। ଏହା ପରେ ମାର୍ଚ୍ଚ ୨୭ରେ ତାଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ ମିଳିଥିଲା। ଯେଉଁଥିରେ ଏପ୍ରିଲ ୨୨ ସୁଦ୍ଧା ବଙ୍ଗଳା ଖାଲି କରିବାକୁ କୁହାଯାଇଥିଲା।