ନୂଆଦିଲ୍ଲୀ,୯।୮: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅଧିକାଂଶ ସମୟରେ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏବେ ଯୁବବର୍ଗଙ୍କ ବେରୋଜଗାର ସମସ୍ୟାକୁ ନେଇ ପୁଣିଥରେ ବର୍ଷିଛନ୍ତି ରହୁଲ। ଅଗଷ୍ଟ ୯ରେ ଯୁବ କଂଗ୍ରେସ ସ୍ଥାପନା ଦିବସ ପାଳନ ଅବସରରେ ସେ ଭାଜପା ସରକାରଙ୍କୁ ଘେରିଛନ୍ତି। ଏଥର ରାହୁଲ ବେରୋଜଗାର ସମସ୍ୟାକୁ ନେଇ ସ୍ବର ଉଠାଇଛନ୍ତି। ଟୁଇଟରରେ ଅପଲୋଡ କରାଯାଇଥିବା ଏକ ଭିଡିଓରେ ରାହୁଲ କହିଛନ୍ତି, ଯେତେବେଳେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିଲେ ସେତେବେଳେ ସେ କହିଥିଲେ ୨ କୋଟି ନୂତନ ନିଯୁକ୍ତି ସୃଷ୍ଟି କରିବେ। ସେତେବେଳେ ମୋଦି ଯେଉଁ ସୁନେଲି ସ୍ବପ୍ନ ଦେଖାଇଥିଲେ ଏବେ ସତ୍ୟ କ’ଣ ତାହା ଆଖି ସାମ୍ନାରେ। ମୋଦି ସରକାରଙ୍କ ଭୁଲ ନୀତି ଏବେ ୧୪ କୋଟି ଲୋକଙ୍କୁ ବେରୋଜଗାର କରି ସାରିଲାଣି। ବିମୁଦ୍ରିକରଣ, ଜିଏସ୍ଟି ଆଉ ଏବେ ଲକ୍ଡାଉନ ଦେଶର ଢାଞ୍ଚାକୁ ବଦଳାଇଦେବା ସହ ଇକନୋମିକ ଷ୍ଟ୍ରକଚରକୁ ନଷ୍ଟ କରି ଦେଇଛି। ଆଉ ଏହାର ସତ୍ୟତା ହେଉଛି ଯୁବବର୍ଗଙ୍କ ବେରୋଜଗାର। ଏହାକୁ ନେଇ ଆଜି ଯୁବ କଂଗ୍ରେସ ରାଜ ରାସ୍ତାକୁ ଓହ୍ଲାଇବାକୁ ଯାଉଛି ବୋଲି ରାହୁଲ କହିଛନ୍ତି।