ନୂଆଦିଲ୍ଲୀ,୧୪।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ତାଙ୍କର ସରକାରୀ ବାସଭବନକୁ ଖାଲି କରିବା ଆରମ୍ଭ କରିଛନ୍ତି। ତାଙ୍କ ଘର ସାମ୍ନାରୁ ଟ୍ରକ ଜିନିଷ ନେଇ ଯାଉଥିବା ଦେଖାଯାଇଛି। ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟ ମୋଦି ସରନେମ ଟିପ୍ପଣି ମାମଲାରେ ୨୩ ମାର୍ଚ୍ଚରେ ସଜା ଶୁଣାଇଥିଲେ। ଏହାପରେ ତାଙ୍କର ସଂସଦର ସଦସ୍ୟତା ରଦ୍ଦ ହୋଇଥିଲା।
ହାଉସ କମିଟି ପୁଣି ୨୭ ମାର୍ଚ୍ଚରେ ରାହୁଲ ଗାନ୍ଧୀଙ୍କୁ ନୋଟିସ ଦେଇଥିଲେ କି ସେ ୧ ମାସ ମଧ୍ୟରେ ତାଙ୍କର ସରକାରୀ ଘର ଖାଲି କରନ୍ତୁ। ଏହାକୁ ନେଇ ସେ ଲୋକ ସଭା ସେକ୍ରେଟାରୀଙ୍କୁ ଚିଠି ଲେଖିଥିଲେ। ସେ କହିଥିଲେ ମୁଁ ଲୋକ ସଭାରେ ୪ଥର ନିର୍ବାଚିତ ହୋଇଥିବା ସଦସ୍ୟ। ସେଥିପାଇଁ ଏଠାରେ ମୁଁ ଖୁବ୍ ଭଲ ସମୟ କାଟିଛି। ଏହାକୁ ନେଇ ମୋ ନିକଟରେ ଅନେକ ଭଲ ସ୍ମୃତି ରହିଛି। ଆପଣ ଯାହା ବି କହିଛନ୍ତି ମୁଁ ତାହା ପାଳନ କରିବି। ସୂଚନାଯୋଗ୍ୟ, ସେ ଦିଲ୍ଲୀର ୧୨ ତୁଗଲକ ଲେନରେ ସ୍ଥିତ ଘରେ ରହୁଥିଲେ।