Categories: ଜାତୀୟ

ଓ୍ବାୟନାଡରେ ପୀଡିତଙ୍କୁ ଭେଟୁଥିଲେ ରାହୁଲ ଗାନ୍ଧୀ, ହଠାତ୍‌ କାର୍‌ ଅଟକାଇ ଦେଲେ ଯୁବକ, ରାଗିଯାଇ କରିଦେଲେ ଏମିତି…

ଓ୍ବାୟନାଡ,୩।୮: କେରଳ ୱାୟାନାଡରେ ଲଗାଣ ବର୍ଷା ହେତୁ ଭୂସ୍ଖଳନ ହୋଇ ସମଗ୍ର ଅଞ୍ଚଳ ଧୋଇ ହୋଇଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଶହ ଶହ ଲୋକ ନିଖୋଜ ଥିବାବେଳେ ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଠାରେ ପରିସ୍ଥିତିର ଅନୁଧ୍ୟାନ କରିବାକୁ ଆସିଛନ୍ତି। ସେଠାରେ ପହଞ୍ଚି ସେ ପୀଡିତଙ୍କ ସହ କଥା ହୋଇଛନ୍ତି। ତେବେ ଏହି ସମୟରେ ଜଣେ ସ୍ଥାନୀୟ ଯୁବକ ରାହୁଲ ଗାନ୍ଧୀଙ୍କ ଉପରେ ରାଗି ଯାଇଥିଲେ। ରାହୁଲ ଓ୍ବାୟନାଡର ଗୋଟିଏ ଅଞ୍ଚଳକୁ ଗାଡିରେ ଯିବା ସମୟରେ ତାଙ୍କ ଗାଡି ଅଟକାଇ ଦେଇଥିଲେ।

କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଭୁସ୍ଖଳନ ଦ୍ୱାରା ପ୍ରଭାବିତ ଚୁରାଲାମାଲା ଏବଂ ମୁଣ୍ଡାକ୍କାଇ ପରିଦର୍ଶନ କରିଥିଲେ। ଏହି ସମୟ ମଧ୍ୟରେ ସେ ଅଧିକାଂଶ ଅଞ୍ଚଳରେ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଚାଲିଚାଲି ସ୍ଥିତି ଅନୁଧ୍ୟାନ କରିଥିଲେ। କିନ୍ତୁ ସେ ମୁଣ୍ଡାକ୍କାଇରୁ ଫେରୁଥିବାବେଳେ ବେଲି ବ୍ରିଜ ନିକଟରେ ଥିବା ଜଣେ ଯୁବକ ତାଙ୍କୁ କାର୍‌କୁ ଅଟକାଇ ଦେଇଥିଲେ। ଯେତେବେଳେ ରାହୁଲ ଗାନ୍ଧୀ ତାଙ୍କ କାରରୁ ଓହ୍ଲାଇ ନ ଥିଲେ, ଯୁବକ ଜଣକ ରାଗି ଯାଇଥିଲେ।

ଏହା ପରେ ଯୁବକ ଜଣକ ରାହୁଲଙ୍କୁ ରାଗିଯାଇ କହିଲେ, ଆପଣ ଆମର ଏମପି। ଆମେ ଆପଣଙ୍କୁ ଜିତାଇଛୁ। ଆପଣ କାର୍‌ରେ କ’ଣ ବୁଲୁଛନ୍ତି। ଗାଡିରୁ ବାହାରକୁ ଆସନ୍ତୁ। ଏହି ସମୟରେ ଯେତେବେଳେ ରାହୁଲ ଗାନ୍ଧୀଙ୍କ ସହ ଆସିଥିବା ସ୍ଥାନୀୟ ବିଧାୟକ ଏଥିରେ ହସ୍ତକ୍ଷେପ କଲେ ସେତେବେଳେ ଯୁବକ ଜଣକ କହିଥିଲେ, ଆପଣ ମୋତେ ଭୟଭୀତ କରିପାରିବେ ନାହିଁ। ମୋତେ ସୁରକ୍ଷା ଦେବା ପାଇଁ ଏଠାରେ ଲୋକ ଅଛନ୍ତି। ଏହା ପରେ ଯୁବକ ଜଣକ କହିଥିଲେ, ସେ ପର୍ଯ୍ୟଟକ ନୁହଁନ୍ତି ଯିଏ ତାଙ୍କ କାରରୁ ବାହାରି ପାରିବେ ନାହିଁ। ସିଏ ଆମର ଏମପି।

Share