Categories: ଜାତୀୟ

ସୁପ୍ରିମକୋର୍ଟ ଯାଇପାରନ୍ତି ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୭।୭: ମୋଦି ଉପନାମ ସହ ଜଡିତ ମାନହାନୀ ମାମଲାରେ ଗୁଜରାଟ ହାଇକୋର୍ଟଙ୍କ ନିଷ୍ବତ୍ତି ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟ ଯାଇପାରନ୍ତି ବୋଲି ଜଣାପଡିଛି। ଏନେଇ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମାମଲାରେ ରାହୁଲ ଗାନ୍ଧୀଙ୍କ ପୁନର୍ବିଚାର ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଗୁଜରାଟ ହାଇକୋର୍ଟ କହିଛନ୍ତି ଯେ, ଟ୍ରାଏଲ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ନିଷ୍ପତ୍ତି ସଠିକ୍‌। ଉକ୍ତ ଆଦେଶରେ ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ, ତେଣୁ ଆବେଦନ ଖାରଜ ହୋଇଛି। ପୂର୍ବରୁ ରାହୁଲ ଗାନ୍ଧୀଙ୍କ ଆବେଦନ ଶୁଣାଣି ବେଳେ ହାଇକୋର୍ଟ କୌଣସି ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ଦେବାକୁ ମନା କରିଦେଇଥିଲେ।
କୋର୍ଟଙ୍କ ରାୟ ଉପରେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, ମାନ୍ୟବର ବିଚାରପତିଙ୍କ ଯୁକ୍ତି ଅଧ୍ୟୟନ କରାଯାଉଛି। ଏହା ପରେ ଆମର ଆଗାମୀ ପଦକ୍ଷେପ କ’ଣ ହେବ ତାହା ଜଣାପଡିବ। ଆବଶ୍ୟକ ପଡିଲେ ଆମେ ସୁପ୍ରିମକୋର୍ଟ ଯିବୁ ବୋଲି ସେ କହିଛନ୍ତି।
ସୁପ୍ରିମକୋର୍ଟ,୨୦୧୯ ଲୋକ ସଭା ନିର୍ବାଚନ ବେଳେ ରାହୁଲ ଗାନ୍ଧୀ ‘ମୋଦି ଉପନାମ’ ଉପରେ ଏକ ବିବୃତ୍ତି ଦେଇଥିଲେ। ଏନେଇ ଭାଜପା ବିଧାୟକ ପୂର୍ଣ୍ଣେଶ ମୋଦି ଏକ ମାମଲା ରୁଜୁ କରିଥିଲେ। ଏହି ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହା ପରେ ମାର୍ଚ୍ଚ ୨୪ରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ବାତିଲ କରାଯାଇଥିଲା। ରାହୁଲ ଗାନ୍ଧୀ ସୁରଟ ସେସନ୍ସ କୋର୍ଟର ନିଷ୍ପତ୍ତି ବିରୋଧରେ ଗୁଜରାଟ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ମଧ୍ୟ ତାଙ୍କ ଆଶ୍ୱସ୍ତି ମିଳିନାହିଁ। ଏହା ପରେ ହାଇକୋର୍ଟରେ ଏହାର ନିଷ୍ପତ୍ତିକୁ ପୁନର୍ବିଚାର କରିବାକୁ ଆବେଦନ କରାଯାଇଥିଲା।

Share