ଦୁବାଇ,୯।୯: କଂଗ୍ରେସ ଆରମ୍ଭ କରିଛି ‘ଭାରତ ଯୋଡୋ’ଯାତ୍ରା। ଶୁକ୍ରବାର ହେଉଛି ଏହି ଯାତ୍ରାର ତୃତୀୟ ଦିନ। ଏହି ଯାତ୍ରା କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ବର୍ତ୍ତମାନ ତାମିଲନାଡ଼ୁରେ ଚାଲିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାର ନେତୃତ୍ୱ ନେଉଛନ୍ତି। ଏହାକୁ ଲୋକମାନେ ସମର୍ଥନ ମଧ୍ୟ ଦେଉଛନ୍ତି। ଏହି କ୍ରମରେ ରାହୁଲ ପିନ୍ଧିଥିବା ଏକ ଟି-ଶର୍ଟ ଚର୍ଚ୍ଚାରେ। କାରଣ ଏହାର ମୂଲ୍ୟ ୪୦ ହଜାର ଟଙ୍କାରୁ ଅଧିକ ବୋଲି ଟୁଇଟ୍ କରି ଦାବି କରିଛି ଭାଜପା। ଟୁଇଟ୍ରେ ରାହୁଲଙ୍କ ଫଟୋ ସହ ଅନ୍ୟ ଏକ ଟି-ଶର୍ଟ ଏବଂ ପ୍ରାଇସ ଟ୍ୟାଗ୍ ଦୃଶ୍ୟମାନ ହେଉଛି।
ସୋସିଆଲ ମିଡ଼ିଆରେ ଭାଜପା କହିଛି, ‘ଭାଜପା ଯୋଡ଼ୋ ଯାତ୍ରା’ ସମୟରେ ମୁଦ୍ରାସ୍ଫୀତି ପ୍ରସଙ୍ଗ ଉଠାଉଥିବା ରାହୁଲ ଗାନ୍ଧୀ ଶୁକ୍ରବାର ୪୧,୨୫୭ ଟଙ୍କା ମୂଲ୍ୟର ଶର୍ଟ ପିନ୍ଧିଛନ୍ତି। ରାହୁଲଙ୍କ ଫଟୋ ସହ ଭାଜପା ଟୁଇଟ୍ କରି କହିଛି, ‘ଭାରତ, ଦେଖ!’
ଅପରପକ୍ଷେ କଂଗ୍ରେସ ଏହାର ଜବାବ ଦେଇ କହିଛି, ଆରେ.. ତୁମେ କ’ଣ ଡରି ଗଲ। ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ଲୋକଙ୍କୁ ଦେଖି ଡରି ଗଲ। ପ୍ରସଙ୍ଗ ଯାହା ସେଥିରେ କଥାବାର୍ତ୍ତା କର। ବେକାରୀ ଏବଂ ମୁଦ୍ରାସ୍ପୀତି ବିଷୟରେ କୁହ। ଯଦି ତୁମେ ପୋଷାକ ବିଷୟରେ କଥା ହେବାକୁ ଚାହୁଁଛ ତେବେ ମୋଦୀଙ୍କର ୧୦ ଲକ୍ଷ ଟଙ୍କିଆ ଶୁଟ୍ ଏବଂ ୧.୫ ଲକ୍ଷର ଚଷମା ପର୍ଯ୍ୟନ୍ତ ଯିବ। କୁହ କଥାହେବା?
ସେହିଭଳି ରାହୁଲ ଗାନ୍ଧୀ ମଧ୍ୟ ଭାଜପା ଉପରେ ଆକ୍ରମଣ କରି କହିଛନ୍ତି- ଭାଜପା ଭାବୁଛି ସିବିଆଇ, ଇଡି ଏବଂ ଆଇଟି ବ୍ୟବହାର କରି ବିରୋଧୀଙ୍କୁ ଭୟଭୀତ କରିପାରିବ। ସମସ୍ୟା ହେଉଛି ସେମାନେ ଭାରତର ଲୋକଙ୍କୁ ବୁଝନ୍ତି ନାହିଁ। ଭାରତୀୟ ଲୋକେ କିନ୍ତୁ ଭୟ କରନ୍ତି ନାହିଁ। କୌଣସି ବିରୋଧୀଦଳ ନେତା ଭାଜପାକୁ ଭୟ କରେନାହିଁ।
କଂଗ୍ରେସର ଏହି ଯାତ୍ରା କନ୍ୟାକୁମାରୀଠାରୁ କଶ୍ମୀର ପର୍ଯ୍ୟନ୍ତ ୩୫୦୦ କିମି ଅତିକ୍ରମ କରିବ। ୧୫୦ ଦିନ ମଧ୍ୟରେ ଏହା ସମାପ୍ତ ହେବ। ୧୨ ରାଜ୍ୟ ଦେଇ ଗତି କରିବ। ସେପ୍ଟେମ୍ବର ୧୧ରେ କେରଳରେ ଏହି ଯାତ୍ରା ପହଞ୍ଚିବା ପରେ ଆଗାମୀ ୧୮ ଦିନ ପାଇଁ ଏହି ରାଜ୍ୟ ଦେଇ ଯିବ। ଏହାପରେ ଯାତ୍ରା ସେପ୍ଟେମ୍ବର ୩୦ରେ କର୍ନାଟକରେ ପହଞ୍ଚିବ।