Categories: ଜାତୀୟ

ବଦଳିଯିବ ରାହୁଲ ଗାନ୍ଧୀଙ୍କ ଭାଗ୍ୟ! ଏପର୍ଯ୍ୟନ୍ତ ୧୨ ବିରୋଧୀ ଦଳ ନେତାଙ୍କ କେମିତି ଥିଲା କାର୍ଯ୍ୟକାଳ

ନୂଆଦିଲ୍ଲୀ,୨୬।୬: ଲୋକ ସଭା ବାଚସ୍ପତି ଓମ ବିର୍ଲା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଗୃହରେ ବିରୋଧୀ ଦଳର ନେତା ଭାବରେ ସ୍ବୀକୃତି ଦେଇଛନ୍ତି। ଲୋକ ସଭା ସଚିବାଳୟର ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ରାହୁଲ ଗାନ୍ଧୀଙ୍କ ବିରୋଧୀ ଦଳର ନେତାଙ୍କ କାର୍ଯ୍ୟକାଳ ଗତ ଜୁନ , ୨୦୨୪ରୁ କାର୍ଯ୍ୟକାରୀ ହୋଇଛି।
ବିରୋଧୀଦଳର ନେତା ସାଧାରଣତଃ ଭବିଷ୍ୟତରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଏକ ଦାବିଦାର ଭାବରେ ବିବେଚନା କରାଯାଏ। ଗତ ୧୦ ବର୍ଷ ମଧ୍ୟରେ କୌଣସି ବିରୋଧୀଦଳ ନେତା ଏହି ପଦବୀରେ ରହି ନ ଥିଲେ। ଏହାର ଏକ ପ୍ରମୁଖ କାରଣ ହେଉଛି ବିରୋଧୀ ଦଳର ଲୋକ ସଭାରେ ପର୍ଯ୍ୟାପ୍ତ ଆସନ ନ ଥିଲା।
ଦେଶ ସ୍ବାଧୀନତାର ୨୨ ବର୍ଷ ପରେ ୧୯୬୯ରେ ପ୍ରଥମ ଥର ପାଇଁ ବିରୋଧୀ ଦଳର ନେତା ମନୋନୀତ ହୋଇଥିଲେ। କଂଗ୍ରେସରେ ବିଭାଜନ ହେତୁ କଂଗ୍ରେସ (ଅର୍ଗାନାଇଜେସନ୍‌) ନାମକ ଏକ ଦଳ ମାନ୍ୟତା ପାଇଲା। ବିହାରର ବକ୍ସର ଏମ୍‌ପି ରାମ ସୁଭାଗ ସିଂ କଂଗ୍ରେସ (ଅର୍ଗାନାଇଜେସନ୍‌) ର ଅଂଶ ଥିଲେ, ଏହା ପରେ ସେ ପ୍ରଥମ ଥର ପାଇଁ ବିରୋଧୀ ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ।
୧୯୬୯ ରୁ ୨୦୨୪ ପର୍ଯ୍ୟନ୍ତ ପ୍ରାୟ ୧୨ ଜଣ ନେତା ବିରୋଧୀଦଳର ନେତା ହୋଇଛନ୍ତି, ସେଥିମଧ୍ୟରୁ ଲାଲ କୃଷ୍ଣ ଆଡଭାନୀ ତିନିଥର ବିରୋଧୀଦଳର ନେତା, ଅଟଳ ବିହାରୀ ବାଜପେୟୀ ଏବଂ ଯଶୱନ୍ତ ରାଓ ଚହ୍ବାଣ ଦୁଇଥର ବିରୋଧୀ ଦଳର ନେତା ପଦ ପାଇଛନ୍ତି।
ଏହା ବ୍ୟତୀତ ଜଗଜୀବନ ରାମ, ସିଏମ ଷ୍ଟିଫେନ, ରାଜୀବ ଗାନ୍ଧୀ, ସୋନିଆ ଗାନ୍ଧୀ, ଶରଦ ପାୱାର, ସୁଷମା ସ୍ବରାଜ ବିରୋଧୀଦଳର ନେତା ପଦ ପାଇଛନ୍ତି।
ଲୋକ ସଭାରେ ବିରୋଧୀ ଦଳର ୧୨ ଜଣ ନେତାଙ୍କ ମଧ୍ୟରୁ କେବଳ ତିନିଜଣ ଭାରତର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। ଯେଉଁଥିରେ ରାଜୀବ ଗାନ୍ଧୀ ଏବଂ ପିଭି ନରସିଂହ ରାଓ ପ୍ରଥମେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ, ଏହା ପରେ ସେମାନେ ବିରୋଧୀ ଦଳର ନେତା ଦାୟିତ୍ୱ ଗ୍ରହଣ କରିଥିଲେ।
ରାଜୀବ ଗାନ୍ଧୀ ୧୮ ଡିସେମ୍ବର ୧୯୮୯ ରୁ ୨୩ ଡିସେମ୍ବର ୧୯୯୦ ପର୍ଯ୍ୟନ୍ତ ବିରୋଧୀ ଦଳର ନେତା ଥିଲେ। ସେତେବେଳେ ଦେଶର ପ୍ରଧାନମନ୍ତ୍ରୀ ବି ପି ସିଂ ଥିଲେ।
ପିଭି ନରସିଂହ ରାଓ ଏହି ପଦବୀ ମେ ୧୬, ୧୯୯୬ ରୁ ୩୧ ମେ ୧୯୯୬ ପର୍ଯ୍ୟନ୍ତ ରହିଥିଲେ। ସେତେବେଳେ ପ୍ରଧାନମନ୍ତ୍ରୀ ଥିଲେ ଅଟଳ ବିହାରୀ ବାଜପେୟୀ।
ଏଥି ସହିତ, ୨୧ ଜୁଲାଇ ୧୯୯୩ ରେ ଅଟଳ ବିହାରୀ ବାଜପେୟୀ ବିରୋଧୀ ଦଳର ନେତା ହୋଇଥିଲେ। ସେତେବେଳେ ଦେଶର ପ୍ରଧାନମନ୍ତ୍ରୀ ପି ଭି ନରସିଂହ ରାଓ ଥିଲେ। ତେବେ ପରେ ଅଟଳ ବିହାରୀ ବାଜପେୟୀ ଦୁଇଥର ବିରୋଧୀ ଦଳର ନେତା ଦାୟିତ୍ୱ ଗ୍ରହଣ କରିଥିଲେ।

 

 

Share