କାଲିଫର୍ନିଆରେ ଖୋଲିବ ରାହୁଲ ଗାନ୍ଧୀଙ୍କ ପ୍ରେମ ଦୋକାନ…

ଓ୍ବାଶିଂଟନ,୨୭।୫ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଖୁବ ଶୀଘ୍ର ଦଶ ଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି। ତାଙ୍କର ଏହି ଯାତ୍ରାକୁ ସଫଳ କରିବା ପାଇଁ ଭାରତୀୟ ବିଦେଶ କଂଗ୍ରେସ ଏକଜୁଟ ହୋଇଛି। ରାହୁଲଙ୍କ ଆମେରିକା ଗସ୍ତ ସମୟରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡିକ ପାଇଁ ପ୍ରସ୍ତୁତି ବହୁତ ଉତ୍ସାହର ସହିତ କରାଯାଇଛି। ରାହୁଲଙ୍କ ଗୋଟିଏ କାର୍ଯ୍ୟକ୍ରମରେ ମୂଳ ଭାରତୀୟଙ୍କୁୁ ଏକତ୍ରିତ କରିବା ପାଇଁ ପ୍ରଚାର ଭିଡିଓ ଜାରି କରାଯାଇଛି।

ଏହି ଭିଡିଓରେ ରାହୁଲଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରାର ଝଲକ ଦେଖାଯାଇଛି। ଏଥିରେ କୁହାଯାଇଛି ଏହି ଯାତ୍ରା ଲକ୍ଷ ଲକ୍ଷ ଲୋକଙ୍କୁ ଏକାଠି କରି ଦେଶକୁ ଏକଜୁଟ କରି ଦେଇଛି।

ଏହି କାର୍ଯ୍ୟକ୍ରମରେ ରାହୁଲଙ୍କ ସହ ଏକ ବିଶେଷ ବାର୍ତ୍ତାଳାପ କରିବାକୁ ମୂଳ ଭାରତୀୟ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି। ଏହି ବିଶେଷ ଆଲୋଚନା ନ୍ୟୁୟର୍କର ଜାଭିଟ୍ସ ସେଣ୍ଟରରେ ହେବ।

ଗତ ସପ୍ତାହରେ ଭାରତୀୟ ବିଦେଶ କଂଗ୍ରେସର ସଭାପତି ସାମ ପିଟ୍ରୋଡା କହିଥିଲେ ରାହୁଲଙ୍କ ଗସ୍ତ ପ୍ରକୃତ ଗଣତନ୍ତ୍ରର ସହଭାଗୀ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ। ଏହା ବ୍ୟତୀତ ରାହୁଲ ଅନ୍ୟ କେତେକ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିବେ।

ଜୁନ ୪ ରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ୫ ହଜାର ଲୋକ ଅଂଶଗ୍ରହଣ କରିବେ ବୋଲି ଆୟୋଜକମାନେ ଆଶା ପ୍ରକଟ କରିଛନ୍ତି।

ରାହୁଲଙ୍କ ଏହି ଗସ୍ତ ସାନ ଫ୍ରାନ୍ସିସ୍କୋରୁ ଆରମ୍ଭ ହେବ। ଏଠାରେ ସେ ଷ୍ଟାଣ୍ଡଫୋର୍ଡ ୟୁନିଭରସିଟି ଯାଇ ସେଠାରେ ଥିବା ଛାତ୍ରୀଛ୍ରାତ୍ରମାନଙ୍କୁ ସମ୍ବୋଧିତ କରିବେ। ୱାଶିଂଟନ ଡିସିରେ ସାଂସଦ ଏବଂ ଥିଙ୍କ ଟ୍ୟାଙ୍କ ସହିତ ବୈଠକ କରିବେ। ରାହୁଲ ମେ ୩୦ ରେ କାଲିଫର୍ନିଆର ସାଣ୍ଟା କ୍ଲାରାରେ ଏକ ପ୍ରେମ ଦୋକାନ ସ୍ଥାପନ କରିବେ ଯେଉଁଥି ପାଇଁ ଏକ ପୋଷ୍ଟର ମଧ୍ୟ ଜାରି କରାଯାଇଛି। ଏହି କାର୍ଯ୍ୟକ୍ରମର ନାମ ‘ମୋହବତ କି ଦୁକାନ’ ରଖାଯାଇଛି ।

Share