Categories: ଜାତୀୟ

ସଦସ୍ୟତା ଫେରିପାଇବାର ୨ ମାସ ବିତିଗଲାଣି, ହେଲେ ଏ ପର୍ଯ୍ୟନ୍ତ ସରକାରୀ ବଙ୍ଗଳାକୁ ଫେରିନାହାନ୍ତି ରାହୁଲ

ନୂଆଦିଲ୍ଲୀ,୩୧।୧୦: ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ ରୋକ ଲାଗିବା ପରେ ତାଙ୍କ ସଂସଦ ସଦସ୍ୟତା ଫେରିପାଇବାର ଦୁଇ ମାସରୁ ଅଧିକ ସମୟ ବିତିଯାଇଛି, କିନ୍ତୁ ରାହୁଲ ଗାନ୍ଧୀ ତାଙ୍କ ପୁରୁଣା ସରକାରୀ ବଙ୍ଗଳାକୁ ଫେରିନାହାଁନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାହୁଲ ଗାନ୍ଧୀ ସୋନିଆ ଗାନ୍ଧୀଙ୍କ ବଙ୍ଗଳାରେ ୧୦ ଜନପଥରେ ରହୁଛନ୍ତି। ଗାନ୍ଧୀ ପରିବାରର ନିକଟବର୍ତ୍ତୀ ନେତାମାନେ କହିଛନ୍ତି , ରାହୁଲ ଗାନ୍ଧୀ ୧୨ ତୁଗଲକ ଲେନ୍‌କୁ ନିଜ ବଙ୍ଗଳାକୁ କେବେ ଫେରିବେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସୂଚନାଯୋଗ୍ୟ, ମୋଦି ଉପନାମକୁ ନେଇ ମାନହାନି ମକଦ୍ଦମା ମାମଲାରେ ରାହୁଲ ଗାନ୍ଧୀଙ୍କୁ ଗୁଜରାଟ କୋର୍ଟ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଦଣ୍ଡାଦେଶ ପାଇବା ପରେ ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟତା ରଦ୍ଦ କରାଯାଇଥିଲା। ଏହି କାରଣରୁ ତାଙ୍କୁ ୨୩ ଏପ୍ରିଲ ୨୦୨୩ରେ ନୂଆଦିଲ୍ଲୀର ୧୨ ତୁଗଲକ ଲେନ୍‌ ତାଙ୍କ ସରକାରୀ ବଙ୍ଗଳା ଖାଲି କରିବାକୁ ପଡିଥିଲା। ରାହୁଲ ଗାନ୍ଧୀ ଏହି ବଙ୍ଗଳାରେ ୧୯ ବର୍ଷ ରହିଛନ୍ତି । ରାହୁଲ ଗାନ୍ଧୀ ସରକାରୀ ବଙ୍ଗଳା ଖାଲି କରି ୧୦ ଜନପଥରେ ସୋନିଆ ଗାନ୍ଧୀଙ୍କ ବଙ୍ଗଳାକୁ ସ୍ଥାନାନ୍ତର ହୋଇଥିଲେ।

Share