ମୁମ୍ବାଇ, ୧୨ା୪- ଓ୍ବାଙ୍ଖଡେ ଷ୍ଟାଡିୟମ ଏବେ ବ୍ୟାଟ୍ସମ୍ୟାନଙ୍କ ପାଇଁ ପାଲଟିଛି ସ୍ବର୍ଗ। ସୋମବାର ଦେଖିବାକୁ ମିଳିଛି ଛକା ଓ ଚୌକାର ବର୍ଷା। ବୋଲରଙ୍କୁ କେବଳ ଭାଗ୍ୟ ହିଁ ସାହା। ରାଜସ୍ଥାନ ରୟାଲ୍ସ ବୋଲରଙ୍କୁ କିଛି ଏଭଳି ଦୃଶ୍ୟ ଦେଖାଇଛନ୍ତି କିଙ୍ଗ୍ସ ପଞ୍ଜାବର ବ୍ୟାଟ୍ସମ୍ୟାନମାନେ। ୫୦ ବଲର ସମ୍ମୁଖୀନ ହୋଇଥିବା ଅଧିନାୟକ ଲୋକେଶ ରାହୁଲ ଖେଳିଥିଲେ ୯୧ ରନ୍ର ବିସ୍ଫୋରକ ପାଳି। ତାଙ୍କ ଇନିଂସରେ ସାମିଲ ଥିଲା ୭ ଚୌକା ଓ ୫ ଛକା। କେବଳ ଏହି ବ୍ୟାଟ୍ସମ୍ୟାନ ନୁହେଁ ଦୀପକ ହୁଡା (୬୪ ରନ୍, ୪ ଚୌକା ଓ ୬ ଛକା ) ଓ କ୍ରିସ୍ ଗେଲ (୪୦ ରନ୍, ୪ ଚୌକା ଓ ୨ ଛକା ) ମଧ୍ୟ ଛକା ଓ ଚୌକାର ବର୍ଷା କରିଥିଲେ। ଫଳରେ ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ପ୍ରତିପକ୍ଷ ରାଜସ୍ଥାନ ରୟାଲ୍ସ ଆଗରେ ଛିଡ଼ା କରିଛି ୨୨୨ ରନ୍ର ବିଶାଳ ବିଜୟ ଲକ୍ଷ୍ୟ। ଏପର୍ଯ୍ୟନ୍ତ ଏହା ଚଳିତ ଆଇପିଏଲର ସର୍ବାଧିକ ଦଳଗତ ସ୍କୋର। ପଞ୍ଜାବ ଦଳ ପୂରା ୨୦ ଓଭରରେ ୬ ଉଇକେଟ ହରାଇ ୨୨୧ ରନ୍ କରିଛି।