ପାଠ ଛାଡ଼ି ଗାଈ ଚରାଉଛନ୍ତି ରାହୁଳ

ମୋହନା,୨୭ା୧୧(ମନ୍ମଥ ମିଶ୍ର): ଯେଉଁ ବୟସରେ ହାତରେ କଲମ ଧରି ପାଠ ପଢ଼ିବା କଥା, ସେହି ବୟସରେ ହାତରେ ଏବେ ବାଡ଼ି ଧରି ଗାଈ ଚରାଉଛନ୍ତି। ମା’ଙ୍କୁ ହତ୍ୟା କରି ବାପା ଏବେ ଜେଲ୍‌ର ଚାରି କାନ୍ଥ ଭିତରେ ସଜ୍ଜା କାଟୁଛନ୍ତି। ଏପଟେ ପୁଅର ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଉଛି। ସରକାର କିମ୍ବା କୌଣସି ଅନୁଷ୍ଠାନ ଯଦି ସହଯୋଗର ହାତ ବଢ଼ାନ୍ତେ ତେବେ ହଷ୍ଟେଲରେ ରହି ରାହୁଲ ତା’ର ନିଜ ଭବିଷ୍ୟତ ଗଢ଼ିପାରନ୍ତେ ବୋଲି ଆଶା ରଖିଛନ୍ତି।
ଗଜପତି ଜିଲା ମୋହନା ବ୍ଲକ୍‌ ବାଡେଗୁଡ଼ା ପଞ୍ଚାୟତ ପାଦେରମା ଗାଁର ରାହୁଲ୍‌ ମଲ୍ଲିକ। ପାଖରେ ଆହା ପଦେ କହିବାକୁ କେହି ନାହିଁ। ସକାଳ ହୋଇଗଲେ ଗାଈ ନେଇ ଜଙ୍ଗଲକୁ ବାହାରିଯାଇ ସନ୍ଧ୍ୟାରେ ଫେରନ୍ତି। ଗତ ବର୍ଷ ବାପା ପ୍ରମୋଦ ମଲ୍ଲିକ ନିଶାସକ୍ତ ହୋଇ ସାମାନ୍ୟ ବଚସାରୁ ମା’ ପଦ୍ମିନୀଙ୍କୁ ହତ୍ୟା କରିଥିଲେ। ପୋଲିସ୍‌ ପ୍ରମୋଦଙ୍କୁ ଗିରଫ କରି ଜେଲ ପଠାଇଦେଲା। ତା’ ପରଠାରୁ ରାହୁଲ୍‌ ଆଲିଗଣ୍ଡାସ୍ଥିତ ବଡ଼ ଭଉଣୀ ଘରେ ରହି ଝିଲିକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀରେ ପଢ଼ୁଥିଲେ। ଯିବା ଆସିବା କରି ପାଠ ପଢ଼ିବା ସମ୍ଭବ ନ ହେବାରୁ ପାଠ ଛାଡ଼ି ଗାଁକୁ ଫେରି ଆସି ଏବେ ଦାଦାଙ୍କ ଘରେ ରହୁଛନ୍ତି। ରାହୁଲର ଦୁଇ ଭାଇ ଓ ଦୁଇ ଭଉଣୀ। ବଡ ଭଉଣୀ ବାହା ହୋଇ ଅନ୍ୟତ୍ର ରହୁଥିବା ବେଳେ ଗୋଟିଏ ଭାଇ ଓ ଗୋଟିଏ ଭଉଣୀ ପେଟ ପାଇଁ ଘର ଛାଡି ଅନ୍ୟତ୍ର କାମ କରିବାକୁ ଯାଇଛନ୍ତି। ଅନ୍ୟ ଜଣେ ଭାଇ ମୋହନାର ଏକ ସରକାରୀ ଆଶ୍ରମ ବିଦ୍ୟାଳୟରେ ରହି ପାଠ ପଢ଼ୁଛନ୍ତି। ହେଲେ ରାହୁଲର ଭାବିଷ୍ୟତ ଏବେ ଅନ୍ଧାର। ଦାଦା କାମ ଧନ୍ଦା ପାଇଁ ଘର ଛାଡ଼ି ବାହାରକୁ ଯାଉଥିବା ବେଳେ ରାହୁଲର ଦାୟିତ୍ୱ ନେବାକୁ କେହି ନାହାନ୍ତି। ଫଳରେ ଗାଁରେ ରହି ଏବେ ରାହୁଲ୍‌ ଗାଈ ଚରାଉଛି। ଏ ନେଇ ବ୍ଲକ୍‌ ଶିକ୍ଷା ଅଧିକାରୀ ନରେନ୍ଦ୍ର କୁମାର ବେହେରା କହିଛନ୍ତି, ସ୍ଥାନୀୟ ସିଆରସିସିଙ୍କ ଜରିଆରେ ରାହୁଲଙ୍କ ପରିସ୍ଥିତି ବିଷୟରେ ଅନୁଧ୍ୟାନ କରିବା ପରେ ଆଗକୁ କିଭଳି ସେ ଆଶ୍ରମ ବିଦ୍ୟାଳୟରେ ରହି ପାଠ ପଢ଼ିବାର ସୁଯୋଗ ପାଇପାରିବ, ସେଥିପାଇଁ ଖୁବ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ।