ନୂଆଦିଲ୍ଲୀ,୧୦।୪ : କଂଗ୍ରେସର ପୂର୍ବତନ ନେତା ଗୁଲାମ ନବୀ ଆଜାଦ ଏକ ସାକ୍ଷାତକାରରେ ଦାବି କରିଛନ୍ତି, ରାହୁଲ ଗାନ୍ଧୀ ବିଦେଶରେ ଅବାଞ୍ଛିତ ଶିଳ୍ପପତିଙ୍କୁ ଭେଟିଛନ୍ତି। ଯଦିଓ ସେ ଏ ବିଷୟରେ ଅଧିକ ସୂଚନା ଦେଇନାହାଁନ୍ତି। କିନ୍ତୁ ଗୁଲାମ ନବୀଙ୍କ ଦାବି ଉପରେ ଭାଜପା କଂଗ୍ରେସ ଏବଂ ରାହୁଲଙ୍କୁ ଘେରିବା ଆରମ୍ଭ କରିଛି। ଭାଜପା କହିଛି ରାହୁଲ କହିବା ଉଚିତ ସେ କେଉଁ ଅବାଞ୍ଛିତ ଶିଳ୍ପପତିଙ୍କୁ ବିଦେଶରେ ଭେଟନ୍ତି?
ନିକଟରେ ରାହୁଲ ଏକ ଟୁଇଟ ଜରିଆରେ କହିଥିଲେ ଆଦାନୀ ମାମଲାରୁ ଧ୍ୟାନ ହଟାଇବା ପାଇଁ କଂଗ୍ରେସର ପୂର୍ବତନ ନେତା ଭାଜପାକୁ ସହାୟତା କରୁଛନ୍ତି। ଏହି ପୂର୍ବତନ କଂଗ୍ରେସ ନେତାଙ୍କ ମଧ୍ୟରେ ରାହୁଲ ଗୁଲାମ ନବୀ ଆଜାଦଙ୍କ ନାମ ମଧ୍ୟ କହିଥିଲେ। ସାକ୍ଷାତକାରରେ ଗୁଲାମ ନବୀଙ୍କୁ ରାହୁଲଙ୍କ ଦାବିକୁ ନେଇ ପଚରା ଯାଇଥିଲା। ଗୁଲାମ ନବୀ କହିଥିଲେ ଗାନ୍ଧୀ ପରିବାର ପ୍ରତି ମୋର ବହୁତ ସମ୍ମାନ ଅଛି, ତେଣୁ ମୁଁ ତାଙ୍କ ପରିବାର ବିରୋଧରେ କିଛି କହିବାକୁ ଚାହେଁ ନାହିଁ। ଅନ୍ୟଥା ମୁଁ ଏପରି ଉଦାହରଣ ଦେଇପାରେ ଯେଉଁଠାରେ ରାହୁଲ ବିଦେଶ ଯାଇ ଅବାଞ୍ଛିତ ଶିଳ୍ପପତିଙ୍କୁ ଭେଟନ୍ତି।