ନୂଆଦିଲ୍ଲୀ,୬।୨: ଆଦାନୀ ପ୍ରସଙ୍ଗରେ ବିରୋଧୀ ଲଗାତାର ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି। ତେବେ ଏହି ପ୍ରସଙ୍ଗକୁ ନେଇ ସୋମବାର ଲୋକ ସଭା ଏବଂ ରାଜ୍ୟ ସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଫଳରେ ଗୃହକୁ ମଙ୍ଗଳବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଇତିମଧ୍ୟରେ ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଆଦାନୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।
ରାହୁଲ କହିଛନ୍ତି, ଗୃହରେ ଆଦାନୀ ପ୍ରସଙ୍ଗରେ କୌଣସି ଆଲୋଚନା ନ କରିବାକୁ ସରକାର ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ସରକାର ଚାହୁଁ ନାହାଁନ୍ତି ଯେ ଆଦାନୀ ପ୍ରସଙ୍ଗ ସଂସଦରେ ଆଲୋଚନା ହେଉ। ଏପରିକି ସଂସଦ ଆଲୋଚନା ନେଇ ଅନୁମତି ଦେବାକୁ ରାହୁଲ କହିଛନ୍ତି। ଆଦାନୀଙ୍କ ପଛରେ କେଉଁ ଶକ୍ତି ରହିଛି, ତାହା ଦେଶ ଜାଣିବା ଉଚିତ୍ ବୋଲି ସେ କହିଛନ୍ତି।