ଅକ୍ଟୋବରରେ ଓଡ଼ିଶା ଆସିପାରନ୍ତି ରାହୁଲ, ପ୍ରିୟଙ୍କା

ଭୁବନେଶ୍ୱର,୨୬ା୮(ଅନିଲ ଦାସ): ଆସନ୍ତା ଅକ୍ଟୋବରରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଓଡ଼ିଶା ଆସିପାରନ୍ତି। ରାହୁଲଙ୍କ ସହ ବରିଷ୍ଠ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସଭାପତି ମଲ୍ଲିକାର୍ଜୁନ ଖାରଗେ ମଧ୍ୟ ଓଡ଼ିଶା ଆସିବା କାର୍ଯ୍ୟକ୍ରମ ରହିଛି। ରାହୁଲ ଓ ପ୍ରିୟଙ୍କା ଓଡ଼ିଶା ଆସିବା ନେଇ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ଶୁକ୍ରବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ୫ ଜଣ ବିଧାୟକ ଦିଲ୍ଲୀ ଯାଇ ରାହୁଲ ଗାନ୍ଧୀଙ୍କୁ ଭେଟିଛୁ। ଅକ୍ଟୋବର ଶେଷ ସୁଦ୍ଧା ରାହୁଲ ଓ ପ୍ରିୟଙ୍କା ଓଡ଼ିଶା ଆସିବେ। ୪ଟି ଜୋନରେ ରାହୁଲ ସଭା କରିବାକୁ ଯୋଜନା ରହିଛି। ଅନ୍ୟପକ୍ଷରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ସେପ୍ଟେମ୍ବର ପ୍ରଥମ ସପ୍ତାହରେ ସେ ଦିଲ୍ଲୀ ଯାଇ ରାହୁଲ, ପ୍ରିୟଙ୍କା ଓ ଖାରଗେଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିବେ। ଅକ୍ଟୋବର ସୁଦ୍ଧା ସେମାନେ ଓଡ଼ିଶା ଆସିପାରନ୍ତି। ତେବେ ଗସ୍ତ ନେଇ କୌଣସି ଚୂଡ଼ାନ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇନାହିଁ ବୋଲି ଶରତ କହିଛନ୍ତି।
୨୦୨୪ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି। ରାଜ୍ୟରେ ପ୍ରମୁଖ ଦଳ ଭାଜପା, ବିଜେଡି ଓ କଂଗ୍ରେସ ନିଜ ପାଇଁ ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି। ନିକଟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସି ନିଜ ଦଳର ନେତା, କର୍ମୀଙ୍କୁ ଭେଟି ଆଲୋଚନା କରିଛନ୍ତି। ଅକ୍ଟୋବରରେ ରାହୁଲ ଗାନ୍ଧୀ ଓଡ଼ିଶା ଆସି ଦଳୀୟ ନେତା ଓ କର୍ମୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଅନ୍ୟପକ୍ଷରେ ଶାସକ ବିଜେଡି ପକ୍ଷରୁ ବିଭିନ୍ନ ସ୍ଥାନରେ ସଭାସମିତି କରି ରାଜ୍ୟ ସରକାରଙ୍କ ସୁଫଳ ବିଷୟରେ ଲୋକମାନଙ୍କ ନିକଟରେ ବାର୍ତ୍ତା ପହଞ୍ଚାଯାଉଛି।

Share