Categories: ଜାତୀୟ

ପାର୍ଲାମେଣ୍ଟରେ ପହଞ୍ଚିଲେ ରାହୁଲ, ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ କଲେ ମାଲ୍ୟାର୍ପଣ

ନୂଆଦିଲ୍ଲୀ,୭ା୮: ସୋମବାର ଏମ୍‌ପି ପଦ ଫେରି ପାଇବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପାର୍ଲାମେଣ୍ଟରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିବା ପରେ ବିରୋଧୀ ସଦସ୍ୟଙ୍କ ପକ୍ଷରୁ ମଧ୍ୟ ରାହୁଲଙ୍କୁ ସ୍ବାଗତ କରାଯାଇଛି।

ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ରାହୁଲ ମାଲ୍ୟାର୍ପଣ କରିଥିଲେ।

ମୋଦି ସର୍‌ନେମ୍‌ ମାମଲାରେ ରାହୁଲ ତାଙ୍କର ଏମ୍‌ପି ପଦ ହରାଇଥିଲେ। ତେବେ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ମିଳିବା ପରେ ରାହୁଲ ଲୋକ ସଭା ସଚିବଙ୍କ ଦ୍ୱାରା ଓ୍ବାୟାନାଡ ଏମ୍‌ପି ଭାବରେ ପୁନଃ ସ୍ଥାପିତ ହୋଇଛନ୍ତି। ମାର୍ଚ୍ଚ ୨୪ରେ ସେ ତାଙ୍କ ଏମ୍‌ପି ପଦ ହରାଇଥିଲେ। ମାନହାନି ମାମଲାରେ ରାହୁଲଙ୍କୁ ଚଳିତବର୍ଷ ମାର୍ଚ୍ଚରେ ସୁରଟ କୋର୍ଟ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ ଏବଂ ଗୁଜରାଟ ହାଇକୋର୍ଟ ଜୁଲାଇ ୭ରେ ଏହି ରାୟକୁ କାଏମ ରଖିଥିଲେ। ଏହା ପରେ ରାହୁଲ ସୁପ୍ରିମକୋର୍ଟ ଯାଇଥିଲେ।

ଉଲ୍ଲେଖଯୋଗ୍ୟ, ୧୩ ଏପ୍ରିଲ ୨୦୧୯ରେ, କର୍ନାଟକର କୋଲାରରେ ଏକ ନିର୍ବାଚନ ସମାବେଶକୁ ସମ୍ବୋଧିତ କରି ରାହୁଲ କହିଥିଲେ ଯେ, ସମସ୍ତ ଚୋରଙ୍କ ସର୍‌ନାମ ମୋଦି କାହିଁକି ହୁଏ? ଏହି ପ୍ରସଙ୍ଗରେ ପୂର୍ଣ୍ଣେଶ ମୋଦି ୨୦୧୯ରେ ତାଙ୍କ ବିରୋଧରେ ଆପରାଧିକ ମାନହାନି ମକଦ୍ଦମା ଦାୟର କରିଥିଲେ।

Share