Categories: ଜାତୀୟ

ରାଜସ୍ଥାନ-ମଧ୍ୟପ୍ରଦେଶରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ପାଇଁ ରାହୁଲ ଦାୟୀ: ଉମା ଭାରତୀ

ନୂଆଦିଲ୍ଲୀ,୧୩।୭: ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଘଟୁଥିବା ରାଜନୈତିକ ଘଟଣା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦାୟୀ। କିଛି ଏଭଳି ଟିପ୍ପଣୀ ଦେଇଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତ୍ରୀ ଉମା ଭାରତୀ। ସେ କହିଛନ୍ତି, ରାଜସ୍ଥାନରେ ବର୍ତ୍ତମାନ ଯାହା ଘଟୁଛି ଓ ମଧ୍ୟପ୍ରଦେଶରେ ଯାହା ଘଟିସାରିଛି ସେଥିପାଇଁ ରାହୁଲ ଗାନ୍ଧୀ ସମ୍ପୂର୍ଣ୍ଣ ଦାୟୀ। କଂଗ୍ରେସ ଦଳ ମଧ୍ୟରେ ଯୁବ ନେତାଙ୍କୁ ଆଗକୁ ବଢ଼ିବା ପାଇଁ ରାହୁଲ ସୁଯୋଗ ଦେଉନାହାଁନ୍ତି। କାରଣ ରାହୁଲ ଭୟ କରୁଛନ୍ତି ଯେ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ସଚିନ ପାଇଲଟ୍‌ଙ୍କ ଭଳି ଶିକ୍ଷିତ ତଥା ଦକ୍ଷ ନେତାମାନେ ଉଚ୍ଚ ପଦବୀକୁ ଆସିଲେ ସେ ପଛରେ ପଡ଼ିଯିବେ। ସୂଚନାଯୋଗ୍ୟ, ରାଜସ୍ଥାନରେ ୧୮ମାସର ଗେହଲଟ ସରକାରଙ୍କ ଉପରେ ଏବେ ସଙ୍କଟ ଦେଖାଦେଇଛି। ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଦ୍ରୋହ କରିଛନ୍ତି। ସୋମବାର ଆୟୋଜିତ ହୋଇଥିବା ବିଧାୟକ ଦଳର ବୈଠକରେ ସେ ଯୋଗଦେଇ ନ ଥିବା ଜଣାପଡ଼ିଛି।

Share