ରାହୁଲ କହିଲେ ଆମକୁ ଦିଅ ଉପ-ବାଚସ୍ପତି, ହେଲେ ଛିଣ୍ଡିଲାନି ଅଙ୍କ

ନୂଆଦିଲ୍ଲୀ, ୨୫।୬: ଲୋକସଭା ବାଚସ୍ପତି ଚୟନକୁ ନେଇ ରଜନୈତିକ ମହଲରେ ଥିବା ସସପେନ୍ସ ଏବଂ ଡ୍ରାମା ମଧ୍ୟରେ ଏନଡିଏ ପକ୍ଷରୁ ଓମ ର୍ବିଲା ଲୋକସଭାର ନୂତନ ବାଚସ୍ପତି ହେବେ। ସେ ଏନେଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କିନ୍ତୁ ବିରୋଧୀ ଦଳ ଏହାକୁ ବିରୋଧ କରିଛନ୍ତି । ବିରୋଧୀ ଦଳ ପକ୍ଷରୁ ରାହୁଲ ଗାନ୍ଧୀ ସ୍ପଷ୍ଟ କରିଛନ୍ତି ଯେ ଯେତେବେଳେ ଲୋକସଭା ଉପ-ବାଚସ୍ପତି ପଦ ବିରୋଧୀ ଦଳକୁ ଦିଆଯିବ ସେତେବେଳେ ଆମେ ବିଜେପିକୁ ସମର୍ଥନ କରିବୁ। ଏଭଳି ପରିସ୍ଥିତିରେ ବିରୋଧୀଦଳ ମଧ୍ୟ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦେଇଛନ୍ତି । କେ. ସୁରେଶଙ୍କୁ ଦଳ ପ୍ରାର୍ଥୀ କରିଛି ।

ଏଭଳି ସ୍ଥିତିରେ ବାଚସ୍ପତି ଏବଂ ଉପ ବାଚସ୍ପତିଙ୍କ ସମ୍ପର୍କରେ ଉଭୟ ଦଳ ମଧ୍ୟରେ କୌଣସି ସହମତି ହୋଇପାରିବ ନାହିଁ। ଏହି ର୍ନିବାଚନକୁ ନେଇ ଶାସକ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ତିକ୍ତତା ବର୍ତ୍ତମାନ ଚରମ ସୀମାରେ ପହଞ୍ଚିଛି । ଆଗକୁ କିଏ ଲୋକସଭାର ବାଚସ୍ପତି ହେବେ ସେଥିପାଇଁ ନିର୍ବାଚନ ହେବ ।

ଏନେଇ ଲଲନ ସିଂ କହିଛନ୍ତି ଯେ, ବିରୋଧୀ ଦଳ ଉପ-ବାଚସ୍ପତି ପଦକୁ ନେଇ ଭରଷା ଚାହୁଁଛନ୍ତି । କିନ୍ତୁ ବର୍ତ୍ତମାନ ଶାସକ ଦଳ ପଛରେ ଏହାକୁ ଦେଖିବା ବୋଲି କହିଛନ୍ତି । ପ୍ରଥମେ ଆମ ବାଚସ୍ପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ସେମାନେ କହିଛନ୍ତି । ଯାହାକୁ ନେଇ ବିରୋଧୀ ଦଳ ରାଜି ନୁହଁନ୍ତି । ସୂଚନା ଥାଉକି ଶାସକ ଦଳ ପକ୍ଷରୁ ରାଜନାଥ ସିଂ ସକାଳେ ବିରୋଧୀ ଦଳଙ୍କ ସହ ଏ ନେଇ ଆଲୋଚନା କରିଥିଲେ ମଧ୍ୟ ଏହା ଫଳପ୍ରଦ ହୋଇନାହିଁ ।

Share