Categories: ଜାତୀୟ

ରାହୁଲ ନେଲେ ସତ୍ୟପାଲଙ୍କ ଇଣ୍ଟରଭ୍ୟୁ, ଦେଖନ୍ତୁ ଶେୟାର ହୋଇଥିବା ଭିଡିଓ…

ନୂଆଦିଲ୍ଲୀ,୨୫।୧୦ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ସହ ହୋଇଥିବା ସାକ୍ଷାତକାରର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ରିପୋର୍ଟ ଅନୁଯାୟୀ, ରାହୁଲ ଗାନ୍ଧୀ ପୁଲୱାମା ଆକ୍ରମଣ, ଜମ୍ମୁ-କଶ୍ମୀରର ସ୍ଥିତି ଏବଂ ଆଦାନୀ ସମ୍ପର୍କରେ ସତ୍ୟପାଲ ମଲିକଙ୍କ ସହ ଆଲୋଚନା କରିଥିଲେ। ସାକ୍ଷାତକାରରେ ସତ୍ୟପାଲ ମଲିକ ୨୦୧୯ ପୁଲୱାମା ଆକ୍ରମଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ତ୍ରୁଟିକୁ ଦାୟୀ କରିଛନ୍ତି।

ରାହୁଲ ଗାନ୍ଧୀଙ୍କୁ ଦିଆଯାଇଥିବା ସାକ୍ଷାତକାରରେ ସେ ମଧ୍ୟ ସମାନ କଥା ପୁନରାବୃତ୍ତି କରିଛନ୍ତି ମୁଁ ଦୁଇଟି ଚ୍ୟାନେଲକୁ କହିଥିଲି ଏହା ଆମର ଭୁଲ ଥିଲା କିନ୍ତୁ ମୋତେ ଏହା କୌଣସି ସ୍ଥାନରେ ନ କହିବା ପାଇଁ କୁହାଯାଇଥିଲା। ମୁଁ ଅନୁଭବ କଲି ମୋର ବିବୃତ୍ତି ଅନୁସନ୍ଧାନକୁ ପ୍ରଭାବିତ କରିପାରେ, କିନ୍ତୁ କୌଣସି ଅନୁସନ୍ଧାନ କରାଯାଇ ନାହିଁ। ଏହାକୁ ନିର୍ବାଚନ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥିଲା। ସତ୍ୟପାଲ ମଲିକ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଭାଷଣରେ ଏହାକୁ ରାଜନୈତିକ ସ୍ତରରେ ଫାଇଦା ପାଇଁ ବ୍ୟବହାର କରିଥିଲେ।
ପୁଲୱାମା ଘଟଣା କାହିଁକି ହେଲା ପ୍ରଶ୍ନରେ ସତ୍ୟପାଲ କହିଛନ୍ତି ସେ ୫ ଟି ବିମାନ ମାଗିଥିଲେ। ଯଦି ସେମାନେ ମୋତେ ପଚାରିଥାନ୍ତେ, ମୁଁ ତୁରନ୍ତ ସେମାନଙ୍କୁ ଦେଇଥାନ୍ତି। ତୁଷାରପାତରେ ଅଟକି ରହିଥିବା ଛାତ୍ରୀଛାତ୍ରମାନଙ୍କୁ ମୁଁ ବିମାନ ଦେଇଥିଲି । ଦିଲ୍ଲୀରେ ଭଡା ନେଇ ବିମାନ ପାଇବା ସହଜ । କିନ୍ତୁ ତାଙ୍କ ଆବେଦନ ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ଚାରିମାସ ପର୍ଯ୍ୟନ୍ତ ବିଚାରାଧୀନ ରହିଲା ଏବଂ ପରେ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଏହା ପରେ ସିଆରପିଏଫ କର୍ମଚାରୀମାନେ ରାସ୍ତାରେ ଯାଇଥିଲେ ଯାହା ଅସୁରକ୍ଷିତ ବୋଲି ବିବେଚନା କରାଯାଇଥିଲା ।
ସାକ୍ଷାତକାରର ଭିଡିଓ ଶେୟାର କରିବାବେଳେ ରାହୁଲ ଗାନ୍ଧୀ ଲେଖିଛନ୍ତି ଏହି ବାର୍ତ୍ତାଳାପ ଇଡି-ସିବିଆଇ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିବ କି? ସତ୍ୟପାଲ ମଲିକ ଏକ ସାକ୍ଷାତକାରରେ କହିଛନ୍ତି ସିଆରପିଏଫ ଗାଡି ଉପରେ ଆକ୍ରମଣ କରିଥିବା ବିସ୍ଫୋରକ ଟ୍ରକ ପ୍ରାୟ ୧୦-୧୨ଦିନ ଏହି ଅଞ୍ଚଳରେ ବୁଲୁଥିଲା। ବିସ୍ଫୋରକ ସାମଗ୍ରୀ ପାକିସ୍ତାନରୁ ପଠାଯାଇଥିଲା। ଗାଡିର ଡ୍ରାଇଭର ଏବଂ ମାଲିକଙ୍କର ଆତଙ୍କବାଦୀ ରେକର୍ଡ ଥିଲା। ତାଙ୍କୁ ଗିରଫ କରାଯାଇଥିଲା ଏବଂ ପରେ ଅନେକ ଥର ମୁକ୍ତ କରାଯାଇଥିଲା। କିନ୍ତୁ ସେ ଗୁପ୍ତଚର ବିଭାଗର ରାଡାରରେ ନ ଥିଲେ।
ଆଦାନୀ ପ୍ରସଙ୍ଗ ଉପରେ ସତ୍ୟପାଲ ମଲିକ ରାହୁଲ ଗାନ୍ଧୀଙ୍କୁ କହିଛନ୍ତି ସରକାର ଏମଏସପି ଉପରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି କାରଣ ଆଦାନୀ ବିରାଟ ଗୋଦାମ ଘର ନିର୍ମାଣ କରି ଶାଗମାଛ ମୂଲ୍ୟରେ ଫସଲ କିଣିଛନ୍ତି। ସତ୍ୟପାଲ ମଲିକ କହିଛନ୍ତି ଆସନ୍ତା ବର୍ଷ ସେମାନଙ୍କର ମୂଲ୍ୟ ବୃଦ୍ଧି ହେବ ଏବଂ ସେ ଏସବୁକୁ ବିକ୍ରି କରିବେ। ଯଦି ଏମଏସପି ଲାଗୁ ହୁଏ, କୃଷକମାନେ ସେମାନଙ୍କ ଉତ୍ପାଦକୁ ଶସ୍ତା ଦରରେ ବିକ୍ରୟ କରିବେ ନାହିଁ ।
ଭିଡିଓରେ ଉଭୟ ନେତା ମଣିପୁରର ପରିସ୍ଥିତି ଉପରେ ମଧ୍ୟ ଆଲୋଚନା କରିଥିଲେ। ସତ୍ୟପାଲ ମଲିକ କହିଛନ୍ତି ମଣିପୁରରେ ସରକାରଙ୍କର କୌଣସି ନିୟନ୍ତ୍ରଣ ନାହିଁ। ସତ୍ୟପାଲ ମଲିକ କହିଛନ୍ତି କିନ୍ତୁ ଏହା ମାତ୍ର ୬ ମାସ ପାଇଁ ହେବ। ମୁଁ ଏହାକୁ ଲିଖିତ ଆକାରରେ ଦେଇପାରେ। ସେମାନେ ଆଉ କ୍ଷମତାକୁ ଫେରିବେ ନାହିଁ।

 

Share