Categories: ଜାତୀୟ

ରାହୁଲ ସିଲେଇ କଲେ ଜୋତା, ଲକ୍ଷେ ନୁହେଁ କୋଟି କୋଟି ଟଙ୍କାରେ କିଣିବାକୁ ଲାଇନ୍‌ ଲଗାଇଲେ ଲୋକେ

ନୂଆଦିଲ୍ଲୀ,୩୧।୭: ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ନିକଟସ୍ଥ ବିଧାୟକ ନଗର ଛକରେ ଆଜିକାଲି ଲୋକଙ୍କ ଭିଡ ଜମୁଛି । ଏଠାରେ କୌଣସି ନୂଆ ହୋଟେଲ କିମ୍ବା ମଲ ଖୋଲିନି । ଭିଡ ଜମୁଛି ଜଣେ ମୋଚୀଙ୍କ ଦୋକାନରେ । ସେହି ମୋଚୀ ଦୋକାନ ଆଉ କେହି ନୁହେଁ, ରାମଚେତଙ୍କର । ଗତ ୨୬ ତାରିଖ ପରଠୁ ମୋଚୀ ରାମଚେତ ରାତାରାତି ସାରା ଦେଶରେ ଲୋକପ୍ରିୟ ହୋଇ ଯାଇଛନ୍ତି । ସେଦିନ ରାହୁଲ ଗାନ୍ଧୀଙ୍କୁ ନିଜ ଦୋକାନରେ ଦେଖି ତାଙ୍କର ବିଶ୍ୱାସ ହୋଇ ନ ଥିଲା । କିନ୍ତୁ ଏହି ଘଟଣା ଗତ ୪୦ ବର୍ଷ ଧରି ଜୋତା ତିଆରି କରୁଥିବା ରାମଚେତଙ୍କ ଜୀବନକୁ ବଦଳାଇ ଦେଇଛି ।

ରାମଚେତଙ୍କ ଦୋକାନକୁ ଆସି ରାହୁଲ ଗାନ୍ଧୀ ଏକ ଚପଲ ସିଲେଇ କରିଥିଲେ ଏବଂ ଏକ ଜୋତାରେ ଅଠା ଲଗାଇଥିଲେ । ରାମଚେତଙ୍କୁ ହାତରେ ଜୋତା ସିଲେଇ କରୁଥିବା ଦେଖି ରାହୁଲ ତାଙ୍କ ପାଇଁ ଏକ ଜୋତା ସିଲେଇ ମେସିନ ପଠାଇଛନ୍ତି । ତେବେ ସେଦିନ ପରଠୁ ରାମଚେତଙ୍କ ପାଖକୁ ହଜାର ହଜାର ଜୋତା ସିଲେଇ ଅର୍ଡର ଆସୁଛି । ଲୋକେ ତାଙ୍କୁ ଫୋନ କରି ରାହୁଲ ଗାନ୍ଧୀ ସିଲେଇ କରିଥିବା ଜୋତାଚପଲ ବିକ୍ରି ଲାଗି ଅନୁରୋଧ କରୁଛନ୍ତି । ଏହା ବଦଳରେ କିଏ ଲକ୍ଷାଧିକ ଟଙ୍କା ତ ଆଉ କିଏ ମନଇଚ୍ଛା ଦାମ ଦେବାକୁ ପ୍ରସ୍ତୁତ ହୋଇଛନ୍ତି । କିନ୍ତୁ ରାମଚେତ ଏ ନେଇ ନିଜର ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି ।

ରାମଚେତ କହିଛନ୍ତି, ରାହୁଲଜୀ ସିଲେଇ କରିଥିବା ଚପଲ ଓ ଜୋତା ପାଇଁ ଲୋକେ ମନଇଚ୍ଛା ଦାମ୍‌ ଦେବାକୁ ପ୍ରସ୍ତୁତ । କିନ୍ତୁ ମୁଁ ଏହାକୁ ବିକ୍ରି କରିବି ନାହିଁ । ଏହାକୁ ଫ୍ରେମ କରି ଦୋକାନରେ ଟାଙ୍ଗିବି । ବଞ୍ଚିଥିବା ପର୍ଯ୍ୟନ୍ତ ଏହାକୁ ମୋ ଆଖି ସାମ୍ନାରେ ରଖିବି । ଦୋକାନରୁ ଯିବା ପର ଦିନ ସେ ମୋ ପାଇଁ ସିଲେଇ ମେସିନ ପଠାଇଥିଲେ । ୩ୟ ଦିନ ଫୋନ କରି ମୋର ଭଲମନ୍ଦ ବୁଝିଥିଲେ ।
ରାହୁଲଙ୍କ ହାତ ତିଆରି ଜୋତା-ଚପଲ ବିଷୟରେ ରାମଚେତ କହିଛନ୍ତି, ରାହୁଲଜୀ ସିଲେଇ କରିଥିବା ଜୋତା ଓ ଚପଲକୁ ସେ ଗ୍ରାହକଙ୍କୁ ବିକିବେ ନାହିଁ । ନିକଟରେ ତାଙ୍କ ପାଖକୁ ଏକ ଫୋନ ଆସିଥିଲା । ଜଣେ ବ୍ୟକ୍ତି ତାଙ୍କୁ ଚପଲ-ଜୋତା ବଦଳରେ ବ୍ୟାଗ ଭର୍ତ୍ତି କରି ନୋଟ ଦେବେ ବୋଲି କହିଥିଲେ । କିନ୍ତୁ ରାମଚେତ ସିଧା ସିଧା ମନା କରି ଦେଇଥିଲେ ।

Share