ନୂଆଦିଲ୍ଲୀ,୩୧।୧: କଂଗ୍ରେସର ଭାରତ ଯୋଡୋ ଯାତ୍ରା ସୋମବାର ଜମ୍ମୁ କଶ୍ମୀରରେ ଶେଷ ହୋଇଛି। ଏହି ଯାତ୍ରା ଗତ ବର୍ଷ ସେପ୍ଟେମ୍ବର ୭ରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା। ଏହି ଯାତ୍ରାର ଶେଷ ସମାବେଶରେ ରାହୁଲ ଗାନ୍ଧୀ ଭାଜପାକୁ ଟାର୍ଗେଟ୍ କରିବା ସହ ତାଙ୍କୁ ଏହି ଯାତ୍ରା କରିବାକୁ ଆହ୍ବାନ ଦେଇଥିଲେ। ଭାଜପା ମଧ୍ୟ ଏହାର ଜବାବରେ କହିଛି ଯେ, କଶ୍ମୀରରେ ତ୍ରିରଙ୍ଗା ଉତ୍ତୋଳନ କରିଥିବାରୁ ସେମାନେ ମୋଦି ସରକାରଙ୍କୁ ଧନ୍ୟବାଦ ଦେବା ଉଚିତ୍। ପିପୁଲ୍ସ ଡେମୋକ୍ରାଟିକ ପାର୍ଟି, ଡିଏମକେ ସମେତ ଅନେକ ବିରୋଧୀ ଦଳର ନେତା ମଧ୍ୟ କଂଗ୍ରେସ ରାଲିରେ ଭାଗ ନେଇଥିଲେ।
ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ସମାପନ ରାଲିକୁ ସମ୍ବୋଧିତ କରି କହିଛନ୍ତି, ଭାରତର ଧର୍ମନିରପେକ୍ଷ ମୂଲ୍ୟବୋଧକୁ ବଞ୍ଚାଇବା ତାଙ୍କର ଭାରତ ଯୋଡୋ ଯାତ୍ରାର ଉଦ୍ଦେଶ୍ୟ। ଦେଶର ଉଦାରବାଦୀ ଏବଂ ଧର୍ମନିରପେକ୍ଷ ମୂଲ୍ୟବୋଧ ଭାରତୀୟ ଜନତା ପାର୍ଟି ଏବଂ ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ (ଆରଏସଏସ) ଦ୍ୱାରା ଆକ୍ରମଣ ହୋଇଛି। ମୁଁ ଏହି ଯାତ୍ରା ନିଜ ପାଇଁ କିମ୍ବା କଂଗ୍ରେସ ପାଇଁ ନୁହେଁ ବରଂ ଦେଶର ଲୋକଙ୍କ ପାଇଁ କରିଛି। ଆମର ଲକ୍ଷ୍ୟ ହେଉଛି ଏହି ଦେଶର ମୂଳଦୁଆକୁ ନଷ୍ଟ କରିବାକୁ ଚାହୁଁଥିବା ଆଦର୍ଶ ବିରୁଦ୍ଧରେ ଠିଆ ହେବା।