Categories: ଖେଳ

ଜିମ୍ବାଓ୍ବେ ବିପକ୍ଷରେ ରାହୁଲ ଅଧିନାୟକ

ନୂଆଦିଲ୍ଲୀ, ୧୨ା୮ (ପି.ଟି.):ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଟିମ୍‌ ଦ୍ୱାରା ଫିଟ୍‌ ଘୋଷିତ ହେବାରୁ ସିନିୟର ଓପନର କେ.ଏଲ୍‌. ରାହୁଲ ଜିମ୍ବାଓ୍ବେ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପାଇଁ ତାଙ୍କୁ ଅଧିନାୟକ କରାଯାଇଛି। ପୂର୍ବରୁ ଶିଖର ଧାଓ୍ବନଙ୍କୁ ଅଧିନାୟକ କରାଯାଇଥିଲା। ବର୍ତ୍ତମାନ ସେ କିନ୍ତୁ ତାଙ୍କର ଡେପୁଟି ଭାବେ କାର୍ଯ୍ୟକରିବେ। ରାହୁଲଙ୍କ ହାର୍ନିଆ ଅସ୍ତ୍ରୋପଚାର ହୋଇଥିଲା। ଏଥିରୁ ସେ ଆରୋଗ୍ୟ ଲାଭ କରିଛନ୍ତି। ପୂର୍ବରୁ କୋଭିଡ୍‌ ପାଇଁ ସେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜରୁ ବାଦ୍‌ ପଡ଼ିଥିଲେ। ସୁସ୍ଥ ହେବା ଲାଗି କିଛି ସମୟ ଲାଗିବାକୁ ଥିବାରୁ ରାହୁଲଙ୍କୁ ପ୍ରଥମେ ଜିମ୍ବାଓ୍ବେ ଟୁର୍‌ ପାଇଁ ମନୋନୀତ କରାଯାଇ ନ ଥିଲା। ଗୁରୁତ୍ୱପୂର୍ଣ୍ଣ ଏସିଆ କପ୍‌ ପୂର୍ବରୁ ସମ୍ପୂର୍ଣ୍ଣ ଫିଟ୍‌ ହେବା ସକାଶେ ତାଙ୍କୁ ସମୟ ଦିଆଯାଇଥିଲା। ତେବେ ବିସିସିଆଇ ମେଡିକାଲ ଟିମ୍‌ ବର୍ତ୍ତମାନ ତାଙ୍କୁ ଫିଟ୍‌ ଘୋଷଣା କରିବା ପରେ ଦଳ ପାଇଁ ମନୋନୟନ ଲାଗି ସେ ଉପଲବ୍ଧ ହୋଇଥିଲେ। ସମସ୍ତ ଫର୍ମାଟ ଲାଗି ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ଡେପୁଟି ଭାବେ ରାହୁଲ ପ୍ରଥମ ପସନ୍ଦ ରହିଛନ୍ତି। ସେ ଉପଲବ୍ଧ ହେବାଦ୍ୱାରା ସିରିଜ ପାଇଁ ଧାଓ୍ବନ ଉପଅଧିନାୟକ ପଦବୀକୁ ଖସିଛନ୍ତି। ରାହୁଲଙ୍କୁ ସାମିଲ କରାଯିବା ପରେ ଦଳରେ କୌଣସି ଖେଳାଳିଙ୍କୁ ବଦଳ କରାଯାଇନାହିଁ। ଫଳରେ ମନୋନୀତ ଖେଳାଳି ସଂଖ୍ୟା ୧୬କୁ ବୃଦ୍ଧି ପାଇଛି। ରାହୁଲଙ୍କ ପ୍ରବେଶ ଦ୍ୱାରା ସିରିଜରେ ଋତୁରାଜ ଗାଏକ୍ୱାଡଙ୍କୁ ଗୋଟିଏ ହେଲେ ମ୍ୟାଚରେ ସୁଯୋଗ ମିଳିବା ସମ୍ଭାବନା ଆପାତତଃ ନାହିଁ। ଏହି ସିରିଜରୁ ରୋହିତ ଶର୍ମା, ବିରାଟ କୋହଲି, ରିଷଭ ପନ୍ତ, ଶ୍ରେୟାସ ଆୟାର, ଯଶପ୍ରୀତ୍‌ ବୁମ୍‌ରା ଓ ମହମ୍ମଦ ଶାମିଙ୍କୁ ବିଶ୍ରାମ ଦିଆଯାଇଛି। ପିଠିରେ ଇଞ୍ଜୁରି ଯୋଗୁ ବୁମ୍‌ରା ଏବେ ଚିକିତ୍ସିତ ହେଉଛନ୍ତି। ସେ ଅଗଷ୍ଟ ୨୭ରୁ ଆରମ୍ଭ ହେବାକୁଥିବା ଏସିଆ କପ୍‌ରେ ମଧ୍ୟ ଖେଳିପାରିବେ ନାହିଁ।
ଭାରତୀୟ ଦଳ
କେ.ଏଲ୍‌. ରାହୁଲ (ଅଧିନାୟକ), ଶିଖର ଧାଓ୍ବନ (ଉପଅଧିନାୟକ), ଋତୁରାଜ ଗାଏକ୍ୱାଡ୍‌, ଶୁବମନ ଗିଲ୍‌, ଦୀପକ ହୁଦା, ରାହୁଲ ତ୍ରିପାଠୀ, ଇଶାନ କିଶନ (ଉଇକେଟକିପର), ସଞ୍ଜୁ ସାମ୍‌ସନ (ଉଇକେଟକିପର), ଓ୍ବାଶିଂଟନ ସୁନ୍ଦର, ଶାର୍ଦ୍ଦୂଳ ଠାକୁର, କୁଲଦୀପ ଯାଦବ, ଅକ୍ଷର ପଟେଲ, ଆଭେଶ ଖାଁ, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ ଓ ଦୀପକ ଚହର।

Share