Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ରାହୁଲ କହିଲେ…

ନୂଆଦିଲ୍ଲୀ,୯ା୨: କଂଗ୍ରେସର ପୂର୍ବତନ ସଭାପତି ତଥା ଏମ୍‌ପି ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ‘ଆତ୍ମନିର୍ଭର ଭାରତ’କୁ ଟାର୍ଗେଟ କରିଛନ୍ତି। ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ତେଲେଙ୍ଗାନାରେ ପ୍ରତିଷ୍ଠିତ ‘ଷ୍ଟାଚ୍ୟୁ ଅଫ୍‌ ଇକ୍ୱାଲିଟି’ ଚାଇନାର ଏକ କମ୍ପାନୀ ସାହାଯ୍ୟରେ ତିଆରି ହୋଇଛି। ରାହୁଲ ଟୁଇଟ୍‌ କରି କେନ୍ଦ୍ର ସରକାରଙ୍କ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଚାଇନା ସହାୟତାରେ ‘ଷ୍ଟାଚ୍ୟୁ ଅଫ୍‌ ଇକ୍ୱାଲିଟି’ ନିର୍ମାଣ କରାଯାଇଛି। ନୂତନ ଭାରତ ଚାଇନା ଉପରେ ‘ନିର୍ଭରଶୀଳ କି?

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ହାଇଦ୍ରାବାଦରେ ଏକାଦଶ ଶତାବ୍ଦୀର ସାଧୁ ରାମାନୁଜାଚାର୍ଯ୍ୟଙ୍କ ସ୍ମୃତିରେ ନିର୍ମିତ ୨୧୬ ଫୁଟ ଉଚ୍ଚ ‘ଷ୍ଟାଚ୍ୟୁ ଅଫ୍‌ ଇକ୍ୱାଲିଟି’ର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମଶାବାଦସ୍ଥିତ ‘ଯଜ୍ଞଶାଳା’ରେ ଉପାସନା କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ, ସନ୍ଥ ରାମାନୁଜାଚାର୍ଯ୍ୟଙ୍କ ଏହି ପ୍ରତିମୂର୍ତ୍ତି ଭାରତ ଏବଂ ବିଶ୍ୱରେ ସମାନତାର ପ୍ରତୀକ। ଏହା ଆମକୁ ‘ଷ୍ଟାଚ୍ୟୁ ଅଫ୍‌ ଇକ୍ୱାଲିଟି’ ଆକାରରେ ସମାନତାର ବାର୍ତ୍ତା ଦେଉଛି। ଏହି ବାର୍ତ୍ତା ସହିତ ଆଜି ଦେଶ ‘ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱ ଏବଂ ସବ୍‌କା ପ୍ରାର୍ଥନା’ ମନ୍ତ୍ର ସହିତ ନୂତନ ଭବିଷ୍ୟତର ମୂଳଦୁଆ ପକାଉଛି। ତେବେ ରାହୁଲ ଏହି ‘ଷ୍ଟାଚ୍ୟୁ ଅଫ୍‌ ଇକ୍ୱାଲିଟି’ ଉପରେ ପ୍ରଶ୍ନ ଉଠାଇଛନ୍ତି।

‘ଷ୍ଟାଚ୍ୟୁ ଅଫ୍‌ ଇକ୍ୱାଲିଟି’ ପଞ୍ଚଲୁହାରେ ନିର୍ମିତ ହୋଇଛି। ଯଥା ପାଞ୍ଚଟି ଧାତୁ ସୁନା, ରୁପା, ତମ୍ବା, ପିତ୍ତଳ ଏବଂ ଜିଙ୍କ୍‌। ଏହା ଏକ ବସିଥିବା ଅବସ୍ଥାରେ ବିଶ୍ୱର ସବୁଠୁ ଉଚ୍ଚ ପ୍ରତିମୂର୍ତ୍ତି। ଏହି ମୂର୍ତ୍ତିଟି ‘ଭଦ୍ର ବେଦୀ’ ନାମକ ଏକ ୫୪ ଫୁଟ ଉଚ୍ଚ କୋଠାରେ ସ୍ଥାପିତ ହୋଇଛି। ଏଥିରେ ବୈଦିକ ଲାଇବ୍ରେରୀ ରହିଛି। ଏହି ପ୍ରତିମୂର୍ତ୍ତିକୁ ରାମାନୁଜାଚାର୍ଯ୍ୟ ଆଶ୍ରମର ଶ୍ରୀ ଚିନ୍ନା ଜେୟାର ସ୍ବାମୀ ସ୍ଥାପନ କରିଥିଲେ।

Share