ଲକ୍ଷ୍ନୌ,୧୧।୪: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ବିଏସ୍ପି ସହ ମେଣ୍ଟ କରିବା ପାଇଁ ପ୍ରସ୍ତାବ ଦେଇଥିବାବେଳେ ମାୟାବତୀ ତାହାକୁ ଏଡ଼ାଇ ଯାଇଥିଲେ ବୋଲି ରାହୁଲ ଗାନ୍ଧୀ କରିଥିବା ଅଭିଯୋଗକୁ ବିଏସ୍ପି ସୁପ୍ରିମୋ ଖଣ୍ଡନ କରିଛନ୍ତି। ଅନ୍ୟ ଦଳ ସମ୍ପର୍କରେ ଚିନ୍ତା ନ କରି କଂଗ୍ରେସ ନେତା ନିଜ ଘର ସଜାଡ଼ନ୍ତୁ ବୋଲି ମାୟାବତୀ ପରାମର୍ଶ ଦେଇଛନ୍ତି। ମେଣ୍ଟ ହେଲେ ମାୟାବତୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯିବ ବୋଲି କଂଗ୍ରେସ କହିଥିଲା। କିନ୍ତୁ ବିଏସ୍ପି ନେତ୍ରୀ କଂଗ୍ରେସ ସହ ଏନେଇ କଥା ମଧ୍ୟ ହେଲେ ନାହିଁ। ସିବିଆଇ, ଇଡି ଏବଂ ପେଗାସସ୍ ଭୟରେ ମାୟାବତୀ ଶାସକ ଭାଜପାକୁ ଜିତାଇବାରେ ସାହାଯ୍ୟ କଲେ ବୋଲି ରାହୁଲ ଅଭିଯୋଗ କରିଥିଲେ। ରବିବାର ମାୟାବତୀ କଂଗ୍ରେସ ନେତାଙ୍କ ଅଭିଯୋଗ ପଛରେ ସତ୍ୟତା ନ ଥିବା କହିଛନ୍ତି। ବିଏସ୍ପିକୁ ବଦନାମ କରିବା ଲାଗି ରାଜୀବ ଗାନ୍ଧୀ କାଂଶୀରାମଙ୍କୁ ସିଆଇଏ ଏଜେଣ୍ଟ କହିଥିଲେ। ଭାଜପାର କେନ୍ଦ୍ରୀୟ ସଂସ୍ଥାକୁ ଭୟ କରୁଥିବାରୁ ମିଛ ଅଭିଯୋଗ ଆଣି ରାହୁଲ ବାପାଙ୍କ ପଦାଙ୍କ ଅନୁସରଣ କରୁଥିବା ମାୟାବତୀ କହିଛନ୍ତି।