Categories: ଖେଳ

ବାରବାଟୀ ମ୍ୟାଚ୍‌ ଖେଳିବେନି ରାହୁଲ

ନୂଆଦିଲ୍ଲୀ,୮ା୬: ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ନୈରାଶଜନକ ଖବର। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଏକ ବଡ଼ ଝଟ୍‌କା। ବାରବାଟୀ ମ୍ୟାଚ୍‌ ଖେଳିବେନି ଅଧିନାୟକ କେ.ଏଲ୍‌ ରାହୁଲ। ପ୍ରଥମ ମୁକାବିଲା ଗୁରୁବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ତେବେ ଏହା ପୂର୍ବରୁ ଭାରତୀୟ ଦଳକୁ ଝଟ୍‌କା ଲାଗିଛି। ଆହତ ଯୋଗୁ ଅଧିନାୟକ ରାହୁଲ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି।

ରାହୁଲଙ୍କ ସ୍ଥାନରେ ଓ୍ବିକେଟ୍‌ କିପର ଋଷଭ ପନ୍ତଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ତେବେ ରାହୁଲଙ୍କ ବଦଳରେ କାହାକୁ ଖେଳାଳି ଭାବେ ଦଳରେ ସାମିଲ କରାଯିବ ସେନେଇ କୌଣସି ସ୍ପଷ୍ଟତା ମିଳିନାହିଁ।

ଏ ସମ୍ପର୍କରେ ବିସିସିଆଇ ପକ୍ଷରୁ କୁହାଯାଇଛି, ରାହୁଲଙ୍କ ପେଟ ଏବଂ ଜଙ୍ଘରେ ଆଘାତ ଲାଗିଛି। ସେହିପରି କୁଲଦୀପ ଯାଦବଙ୍କୁ ମଧ୍ୟ ନେଟ୍‌ ପ୍ରାକ୍ଟିସ ସମୟରେ ଡାହାଣ ହାତରେ ଆଘାତ ଲାଗିଛି। ତେଣୁ  ରାହୁଲ ଏବଂ କୁଲଦୀପ ଯାଦବ ଟି-୨୦ ସିରିଜରୁ ସମ୍ପୂର୍ଣ୍ଣ ବାଦ୍‌ ପଡ଼ିଛନ୍ତି।

ଭାରତୀୟ ଟିମ୍‌ର ଖେଳାଳିମାନେ ହେଲେ ଋଷଭ ପନ୍ଥ(ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା(ଉପ ଅଧିନାୟକ), ଋତୁରାଜ ଗାଏକଓ୍ବାଡ, ଇଶାନ କିସାନ, ଦୀପକ ହୋଡ୍ଡା, ଶ୍ରେୟସ ଆୟର, ଦୀନେଶ କାର୍ତ୍ତିକ, ଭେଙ୍କଟେସ ଆୟାର, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଆଭେଶ ଖାଁ ଓ ଉମ୍‌ରାନ ମଲ୍ଲିକ।

Share