Categories: ଜାତୀୟ

ଆଜି ହିଂସା ପ୍ରଭାବିତ ମଣିପୁର ଯିବେ ରାହୁଲ

ନୂଆଦିଲ୍ଲୀ,୮ା୭:ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ମଣିପୁର ଗସ୍ତ କରି ବିଭିନ୍ନ ଜିଲାରେ ହିଂସା ପ୍ରଭାବିତ ଲୋକମାନଙ୍କୁ ଭେଟିବା ସହ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବେ। ଏହି ହିଂସା କ୍ଷତିଗ୍ରସ୍ତ ଉତ୍ତରପୂର୍ବାଞ୍ଚଳ ରାଜ୍ୟକୁ ରାହୁଲଙ୍କର ଏହା ତୃତୀୟ ଗସ୍ତ ହୋଇଥିବାବେଳେ ବିରୋଧୀ ଦଳ ନେତା ଭାବେ ସେ ପ୍ରଥମ ଥର ପାଇଁ ଯାଉଛନ୍ତି। ତାଙ୍କ ଗସ୍ତ ସମ୍ପର୍କରେ ମଣିପୁର କଂଗ୍ରେସ ନେତା ରବିବାର ଏଆଇସିସି ରାଜ୍ୟ ପ୍ରଭାରୀ ଗିରୀଶ ଚୋଡ଼ାନକରଙ୍କ ସହ ଆଲୋଚନା କରିଛନ୍ତି। ଏହି ବୈଠକରେ ମଣିପୁର କଂଗ୍ରେସ ସଭାପତି କିଶମ ମେଘଚନ୍ଦ୍ର, କଂଗ୍ରେସ ବିଧାୟକ ଦଳ ନେତା ଓ’ ଇବୋବି ସିଂ, ରାଜ୍ୟର ୨ କଂଗ୍ରେସ ଏମ୍‌ପି ଯୋଗ ଦେଇଥିଲେ। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ରାହୁଲ ହିଂସାପ୍ରବଣ ଜିରିବାମ୍‌, ଚୁରାଚାନ୍ଦପୁର ଏବଂ ଇମ୍ଫାଲ ଜିଲାକୁ ଯାଇ ସେଠାର ଲୋକମାନଙ୍କ ସହ ସାରା ଦିନ ବିତାଇବେ। ଗତ ମାସ ୬ରେ ସାନି ହିଂସାକାଣ୍ଡ ଘଟିଥିବା ଜିରିବାମ୍‌ ଜିଲାକୁ ରାହୁଲ ପ୍ରଥମେ ଯାଇ ସେଠାର କେତେକ ରିଲିଫ୍‌ କ୍ୟାମ୍ପ ପରିଦର୍ଶନ କରିବେ। ଏହା ପରେ ସେ ଇମ୍ଫାଲ ଏବଂ ଚୁରାଚାନ୍ଦପୁର ଜିଲାକୁ ଯାଇ ସେଠାର ରିଲିଫ୍‌ କ୍ୟାମ୍ପ୍‌ରେ ଥିବା କ୍ଷତିଗ୍ରସ୍ତମାନଙ୍କ ସହ ଆଲୋଚନା କରିବେ। ଏହା ବ୍ୟତୀତ ବିଷ୍ଣୁପୁର ଜିଲାର ମୋଇରାଙ୍ଗକୁ ଯାଇ ସେଠାର କେତେକ ରିଲିଫ୍‌ କ୍ୟାମ୍ପ୍‌ ପରିଦର୍ଶନ କରିବା ପରେ ରାହୁଲ ଇମ୍ଫାଲ ଫେରିଆସି ରାଜ୍ୟପାଳ ଅନୁସୂୟା ଉଇକେଙ୍କ ସହ ବୈଠକ କରିବାର ଯୋଜନା ପ୍ରସ୍ତୁତ ହୋଇଛି। ରାହୁଲଙ୍କ ମଣିପୁର ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।

Share