Categories: ଜାତୀୟ

ଆସନ ଭାଗବଣ୍ଟାକୁ ନେଇ ରାହୁଲଙ୍କ ଆଲୋଚନା

କୋଲକାତା, ୨୯ା୧୧: ୨୦୨୧ ଏପ୍ରିଲ-ମେ’ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ ଏବେଠାରୁ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଛି। ଟିଏମ୍‌ସି ଓ ଭାଜପାକୁ କଡ଼ା ଟକ୍କର ଦେବା ଲାଗି କଂଗ୍ରେସ ସିପିଆଇଏମ୍‌ ସହ ମେଣ୍ଟ କରିିଛି। ୨୦୧୬ରେ ଏହି ଦୁଇଦଳ ଏକାଠି ନିର୍ବାଚନ ଲଢ଼ି ପଶ୍ଚିମବଙ୍ଗରେ ୭୬/୨୯୪ ଆସନରେ ବିଜୟୀ ହୋଇଥିଲେ। ଏବେ ନିର୍ବାଚନ ପାଖେଇ ଆସୁଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଜ୍ୟର ଦଳୀୟ ନେତାଙ୍କ ସହ ମେଣ୍ଟ, ଆସନ ବୁଝାମଣା ନେଇ ଆଲୋଚନା କରିଛନ୍ତି। ଶୁକ୍ରବାର ଭର୍ଚୁଆଲ ବୈଠକରେ ମେଣ୍ଟ ନେଇ ରାଜ୍ୟର ନେତାମାନେ ସହମତି ପ୍ରକାଶ କରିଥିବାବେଳେ ଆସନ ବୁଝାମଣାକୁ ନେଇ ଭିନ୍ନତା ଦେଖିବାକୁ ମିଳିଛି। ୨୦୧୬ରେ ଅନୁଷ୍ଠିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କଂଗ୍ରେସ ୯୨ ଆସନରେ ଲଢ଼ିଥିବାବେଳେ ଏଥର ସଂଖ୍ୟା ନ କମାଇବାକୁ କେତେଜଣ ନେତା କହିଛନ୍ତି। ବିଭିନ୍ନ ଆସନରେ ଦଳୀୟ ସ୍ଥିତି ଯାଞ୍ଚକରି ପ୍ରାର୍ଥୀ ଚୟନ କରାଯିବା ଉପରେ ଅନ୍ୟମାନେ ଗୁରୁତ୍ୱ ଦେଇଛନ୍ତି। କଂଗ୍ରେସ ଓ ସିପିଆଇଏମ୍‌ ମଧ୍ୟରେ ଆସନ ବୁଝାମଣା ପୂର୍ବରୁ ରାଜ୍ୟ ନେତୃବୃନ୍ଦଙ୍କ ଦାବି ସମ୍ପର୍କରେ ଦଳୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଅବଗତ କରାଯିବ ବୋଲି ରାହୁଲ ଓ ଦଳର ସାଙ୍ଗଠନିକ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ କହିଛନ୍ତି।

Share