କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମ ଭାରତ ଯୋଡ଼ୋ ଯାତ୍ରା ୭ ସେପ୍ଟେମ୍ବର ୨୦୨୨ରୁ କନ୍ୟାକୁମାରୀଠାରୁ ଆରମ୍ଭ କରି ୩୦ ଜାନୁଆରୀ ୨୦୨୩ରେ ଜମ୍ମୁ ଓ କଶ୍ମୀରରେ ଶେଷ କରିଥିଲେ। ଯାତ୍ରା ଶେଷ ହେବା ପରେ ଦାଢ଼ି କାଟି, ଶୁଟ୍ବୁଟ୍ ପିନ୍ଧି ବିଦେଶ ଚାଲିଗଲେ। ସେଠାରେ ଶାମ୍ ପିଟ୍ରୋଡାଙ୍କ ମସୁଧାରେ ଭାରତ ସରକାରଙ୍କ ବିରୋଧରେ ବିଦେଶ ମାଟିରୁ ଆହ୍ବାନ ଦେଲେ ଯେ, ଏହି ଦେଶର ଗଣତନ୍ତ୍ର ଦୁର୍ବଳ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହିଭଳି ଭାବେ ବିମୁଦ୍ରୀକରଣ ପରେ ଜାପାନ ଯାଇ ସେଠାରୁ ଭାରତୀୟଙ୍କୁ ନିନ୍ଦିଥିଲେ ଯେ, କଳାଧନ ଅର୍ଜନ କରୁଥିବାରୁ ଏହିଭଳି ପଦକ୍ଷେପ ନେବାକୁ ପଡ଼ିଥିଲା। ବିଦେଶରେ ରହି ନିଜ ଦେଶବାସୀଙ୍କୁ ମୋଦି ଯେମିତି ସମାଲୋଚନା କରିଥିଲେ, ସେହିଭଳି ରାହୁଲ ବିଦେଶ ଯାଇ ଭାରତୀୟ ଗଣତନ୍ତ୍ର ସମ୍ପର୍କରେ ନକାରାତ୍ମକ ମତ ପ୍ରଦାନ କରିଥିବା ହେତୁ ତାଙ୍କୁ ଏଠାରୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହାଫଳରେ ପ୍ରଥମ ସଫଳ ଯାତ୍ରାର ସଦ୍ଦିଚ୍ଛାକୁ ବଜାୟ ରଖିବାରେ ରାହୁଲ ଅସଫଳ ହୋଇଥିଲେ। ସେତେବେଳେ ବୁଝାଯାଇଥିଲା ଯେ ତାଙ୍କୁ ଘେରିରହିଥିବା କିଛି ଲୋକ ଅତି ସହଜରେ ରାହୁଲଙ୍କୁ ବାଟବଣା କରିଦେଇଛନ୍ତି। କାରଣ ରାହୁଲ ଗାନ୍ଧୀ ସ୍ବୟଂ ନିଜର ଭଲମନ୍ଦ ବୁଝିବା ପାଇଁ ହୁଏତ ଅସମର୍ଥ କିମ୍ବା ତାଙ୍କର ରାଜନୈତିକ ପରିପକ୍ୱତା ଆସିନାହିଁ।
ରାହୁଲ ୧୪ ଜାନୁଆରୀ ୨୦୨୪ରୁ ପୁନର୍ବାର ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ନାମରେ ଅଭିଯାନ ଆରମ୍ଭ କରିଛନ୍ତି। ଅଶାନ୍ତ ମଣିପୁରରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ମାର୍ଚ୍ଚ ୨୦ରେ ମୁମ୍ବାଇରେ ଶେଷ ହେବ। ତେବେ ସେହି ଯାତ୍ରାରୁ ଦୃଷ୍ଟି ହଟାଇବା ପାଇଁ ଜଣେ ଦୁଇଜଣ କୁଜି ଯୁବନେତା କଂଗ୍ରେସ ଛାଡ଼ି ଭାଜପା ସହଯୋଗୀ ଦଳ ସହ ୧୪ ଜାନୁଆରୀରେ ମିଶିଛନ୍ତି। ଗଣମାଧ୍ୟମରେ ଏହି ଖବର ବିରାଟ ରୂପ ଧାରଣ କରିପାରେ। କିନ୍ତୁ ବାସ୍ତବରେ ସେହି ଆୟାରାମ ଗୟାରାମମାନଙ୍କର ରାଜନୈତିକ ଗୁରୁତ୍ୱ ନାହିଁ। ତଥାପି ରାହୁଲ ଏହି ଦ୍ୱିତୀୟ ଯାତ୍ରା ପରେ ଯଦି ବାସ୍ତବରେ ଦେଶରେ ରାଜନୈତିକ ପ୍ରସଙ୍ଗଗୁଡ଼ିକୁ ଉତ୍ଥାପନ କରିଚାଲନ୍ତି ଏବଂ ତତ୍କ୍ଷଣାତ୍ ବିଦେଶ ପଳାଇଯିବାର ଲକ୍ଷଣ ଦେଖାଇବେ ନାହିଁ, ତେବେ ୨୦୨୪ ନିର୍ବାଚନରେ ଏହି ନ୍ୟାୟ ଯାତ୍ରାର ପ୍ରଭାବ ପଡ଼ିବା ଅବଶ୍ୟମ୍ଭାବୀ।