ନୂଆଦିଲ୍ଲୀ,୪।୪ : କଂଗ୍ରେସ ନେତା ତଥା ପୂର୍ବତନ ଏମ୍ପି ରାହୁଲ ଗାନ୍ଧୀ ମଙ୍ଗଳବାର ମିଡ଼ିଆକୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଛି। ରାଜଧାନୀ ଦିଲ୍ଲୀର କଂଗ୍ରେସ ମୁଖ୍ୟାଳୟରେ ଜଣେ ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ସେ ଉତ୍ତେଜିତ ହୋଇ ଉଠିଥିଲେ। ସେ କ୍ରୋଧିତ ଭାବରେ ତାଙ୍କୁ ପଚାରିଥିଲେ. ଆପଣ କାହିଁକି ସବୁବେଳେ କହୁଛନ୍ତି ଭାଜପା କହୁଛି।
ବାସ୍ତବରେ, ଯେତେବେଳେ ରାହୁଲ ସୋମବାର ମାନହାନୀ ମାମଲାରେ ଆବେଦନ କରିବାକୁ ଯାଇଥିଲେ, ସେତେବେଳେ ତାଙ୍କ ସହ ବହୁ ସଂଖ୍ୟାରେ ବରିଷ୍ଠ କଂଗ୍ରେସ ନେତା ମଧ୍ୟ ଯୋଗ ଦେଇଥିଲେ। ଉଲ୍ଲେଖନୀୟ କଥା ହେଉଛି, ଏହି ନେତାମାନଙ୍କ ମଧ୍ୟରେ ତିନୋଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଭାଜପା ଏହାକୁ ନେଇ ପ୍ରଶ୍ନ ଉଠାଇଥିଲା।
କଂଗ୍ରେସ ଏପରି କରି ନ୍ୟାୟପାଳିକା ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି ବୋଲି ଭାଜପା ଅଭିଯୋଗ କରିଥିଲା। ଏହା ଉପରେ ମଙ୍ଗଳବାର ଜଣେ ଖବରଦାତା ରାହୁଲଙ୍କୁ କଂଗ୍ରେସ ମୁଖ୍ୟାଳୟରେ ଏନେଇ ପ୍ରଶ କରିବା ପରେ ସେ ରାଗି ଯାଇଥିଲେ। ଏହାର ଉତ୍ତର ଦେବା ପରିବର୍ତ୍ତେ ସେ ପାଲଟା ପ୍ରଶ୍ନ କରିଥିଲେ, ଭାଜପା କ’ଣ କହୁଛି ତୁମେ ସବୁବେଳେ କାହିଁକି କହୁଛ?’
ଏହି ସମୟରେ ତାଙ୍କ ଅଭିଯୋଗକୁ ଦୋହରାଇ ରାହୁଲ ପଚାରିଥିଲେ ଯେ ଆଦାନୀଙ୍କ ସେଲ କମ୍ପାନୀରେ ୨୦ ହଜାର କୋଟି ଟଙ୍କାର ମାଲିକ କିଏ? ଏହା ହେଉଛି ’ଅଜ୍ଞାତ’। ଏହାର ମାଲିକ କିଏ? ପରେ ଏକ ଟୁଇଟରେ ସେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରବତା ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି। ସେ ପଚାରିଛନ୍ତି ପ୍ରଧାନମନ୍ତ୍ରୀ କାହିଁକି ଡରୁଛନ୍ତି?
ଏନେଇ ଭାଜପା ରାହୁଲଙ୍କୁ ଟାର୍ଗେଟ କରିଛି। ଭାଜପା କହିଛି ଯେ ଦେଶର ପଛୁଆ ବର୍ଗ ଏବଂ ଗଣମାଧ୍ୟମକୁ ଅପମାନ କରିବା ହେଉଛି ରାହୁଲଙ୍କ ମାନସିକତା। ଭାଜପା ତାଙ୍କୁ ଏକ ଅହଂକାରୀ ବଂଶବାଦୀ ବୋଲି କହିଛି।