ଚେନ୍ନାଇ,୨୬।୧୨: ଭାରତ ଯୋଡ଼ୋ ଯାତ୍ରାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାଷଣ କମ୍ପନ ସୃଷ୍ଟି କରୁଛି ବୋଲି ରବିବାର ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ କହିଛନ୍ତି। କଂଗ୍ରେସ ନେତା ଏ. ଗୋପାନ୍ନାଙ୍କ ଦ୍ୱାରା ଲିଖିତ ‘ଜବାହାରଲାଲ ନେହେରୁ, ଆନ୍ ଇଲଷ୍ଟ୍ରେଟେଡ୍ ବାୟୋଗ୍ରାଫି’ ଶୀର୍ଷକ ପୁସ୍ତକ ଉନ୍ମୋଚନ ଅବସରରେ ଏକ ସଭାକୁ ସମ୍ବୋଧିତ କରି ଡିଏମ୍କେ ଅଧ୍ୟକ୍ଷ ଷ୍ଟାଲିନ୍ ରାହୁଲଙ୍କ ପଦଯାତ୍ରାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ବିରୋଧୀ ମତକୁ ନେହେରୁ ଉତ୍ସାହିତ କରୁଥିଲେ। କିନ୍ତୁ ଆଜିର ରାଜନୈତିକ ସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି। ତେବେ ପ୍ରିୟ ଭାଇ ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରା ଦେଶବ୍ୟାପୀ ପ୍ରଭାବ ପକାଇବ।
ଏହି ଯାତ୍ରାରେ ରାହୁଲ ଦେଉଥିବା ଭାଷଣ ଭାରତରେ କମ୍ପନ ସୃଷ୍ଟି କରିଛି। ସେ ନିର୍ବାଚନୀ କିମ୍ବା ଦଳୀୟ ରାଜନୀତି ଉପରେ କହୁ ନାହାନ୍ତି ବରଂ ତାଙ୍କ ଭାଷଣ ଆଦର୍ଶଗତ ରାଜନୀତି ଉପରେ ପର୍ଯ୍ୟବସିତ। ରାହୁଲ ମଧ୍ୟ ବେଳେବେଳେ ନେହେରୁଙ୍କ ଭଳି କଥା କହୁଛନ୍ତି। ନାଥୁରାମ ଗଡ଼ସେଙ୍କ ଉତ୍ତରାଧିକାରୀମାନେ ମହାତ୍ମା ଗାନ୍ଧୀ ଓ ନେହେରୁଙ୍କ ବଂଶଜଙ୍କ ମୁହଁରୁ ସେସବୁ ଶୁଣିଲେ ସେମାନଙ୍କୁ ପିତା ଲାଗିବ।