Categories: ଜାତୀୟ

ଶିକ୍ଷାମନ୍ତ୍ରୀଙ୍କୁ ରାହୁଲଙ୍କ ଟାର୍ଗେଟ

ନୂଆଦିଲ୍ଲୀ,୨୩ା୭(ପି.ଟି.): ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ସୋମବାର ଆରମ୍ଭ ହୋଇଥିବାବେଳେ ପ୍ରଥମ ଦିନରୁ ବିରୋଧୀ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିଲେ। ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗୃହରେ ଏହି ପ୍ରସଙ୍ଗ ଉଠାଇବା ସହ ଏହା ଦେଶର ଶିକ୍ଷା ବ୍ୟବସ୍ଥାରେ ଅତ୍ୟନ୍ତ ଗମ୍ଭୀର ସମସ୍ୟା ବୋଲି କହିଥିଲେ। ଏହି ତ୍ରୁଟି ପାଇଁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜକୁ ଦୋଷ ନ ଦେଇ ଅନ୍ୟମାନଙ୍କ ଉପରେ ଦୋଷ ଲଦିବାକୁ କଂଗ୍ରେସ ନେତା ସମାଲୋଚନା କରିଛନ୍ତି। ତେବେ ଗତ ୭ ବର୍ଷ ମଧ୍ୟରେ ପ୍ରଶ୍ନପତ୍ର ଲିକ୍‌ର କୌଣସି ପ୍ରମାଣ ନ ଥିବା ଶିକ୍ଷାମନ୍ତ୍ରୀ କହିବାରୁ ଗୃହରେ ଉତ୍ତେଜନା ଦେଖାଦେଇଥିଲା। ବିରୋଧୀମାନେ ସରକାରଙ୍କୁ ଘେରିବା ବେଳେ ସବୁ ପରୀକ୍ଷା ଉପରେ ପ୍ରଶ୍ନ ଉଠାଇବା ଠିକ୍‌ ନୁହେଁ ବୋଲି ବାଚସ୍ପତି ଓମ୍‌ ବିର୍ଲା କହିଥିଲେ। ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥା ବିକଶିତ କରିବାର ଆବଶ୍ୟକତା ଉପରେ ସଦସ୍ୟମାନେ ଆଲୋଚନା କରିବା ଉଚିତ ବୋଲି ସେ କହିଥିଲେ।
ଚଳିତ ବର୍ଷ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜିରେ ପ୍ରଶ୍ନପତ୍ର ଲିକ୍‌ ସମେତ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଉଠିଥିଲା। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏହାର ତଦନ୍ତ ଚଳାଇଥିବାବେଳେ ୬ଟି ଏତଲା ଦାଏର କରିିଛି। କେବଳ ଏନ୍‌ଇଇଟି ନୁହେଁ, ସମସ୍ତ ବଡ଼ ପରୀକ୍ଷାରେ ଅନିୟମିତତା ଦେଖାଦେଇଛି। ଶିକ୍ଷା ବ୍ୟବସ୍ଥାରେ ଏହା ସବୁଠୁ ବଡ଼ ସମସ୍ୟା ବୋଲି ରାହୁଲ କହିଥିଲେ। ଦେଶର ଲକ୍ଷ ଲକ୍ଷ ଛାତ୍ରୀଛାତ୍ର ଏନେଇ ଚିନ୍ତିତ। ଯଦି ଆପଣ ଧନୀ ଏବଂ ଆପଣଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ଅଛି, ତେବେ ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ କିଣିପାରିବେ ବୋଲି କଂଗ୍ରେସ ନେତା କହିଥିଲେ। ବ୍ୟବସ୍ଥାଗତ ସମସ୍ୟାକୁ ରୋକିବାରେ ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ରାହୁଲ ଶିକ୍ଷାମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଧର୍ମେନ୍ଦ୍ର କହିଥିଲେ, ଶିକ୍ଷା ବ୍ୟବସ୍ଥାକୁ ବେକାର ବୋଲି ବର୍ଣ୍ଣନା କରାଯିବା ଦୁର୍ଭାଗ୍ୟଜନକ।
ଗତ ୭ ବର୍ଷରେ ୭୦ ପ୍ରଶ୍ନପତ୍ର ଲିକ୍‌ ହୋଇଛି ବୋଲି କଂଗ୍ରେସ ସଦସ୍ୟ ମନିକମ୍‌ ଟାଗୋର ଅଭିଯୋଗ କରିବା ସହ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ତେବେ ପ୍ରଶ୍ନପତ୍ର ଲିକ୍‌ର କୌଣସି ପ୍ରମାଣ ନ ଥିବା ଶିକ୍ଷାମନ୍ତ୍ରୀ କହିଥିଲେ। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ସ୍ଥାପନ ହେବା ଦିନରୁ ୨୪୦ରୁ ଅଧିକ ପରୀକ୍ଷା ପରିଚାଳନା କଲାଣି। ଏହି ପରୀକ୍ଷା ପାଇଁ ୫ କୋଟିରୁ ଊର୍ଦ୍ଧ୍ୱ ପିଲା ଆବେଦନ କରିଥିବାବେଳେ ୪.୫ କୋଟିରୁ ଅଧିକ ପରୀକ୍ଷା ଦେଇଛନ୍ତି। ଧର୍ମେନ୍ଦ୍ର କହିଥିଲେ, ଉତ୍ତରଦାୟିତ୍ୱ ଆସିଲେ, ସରକାର ମିଳିତ ଭାବେ ତାହାର ଜବାବ ରଖିଥାନ୍ତି। ପରୀକ୍ଷା ଅନିୟମିତତାକୁ ନେଇ ଯେଉଁ ଅଭିଯୋଗ ଉଠୁଛି, ସେଥିରେ ଆମେ କିଛି ଲୁଚାଉ ନାହୁଁ, ସବୁକିଛି ରେକର୍ଡରେ ରହିଛି ବୋଲି ଧର୍ମେନ୍ଦ୍ର କହିଥିଲେ। ଯଦି ଦେଶର ପରୀକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠୁଛି, ତେବେ ଏହା ଉପରେ ଗଠନମୂଳକ ଆଲୋଚନା ହେବା ଆବଶ୍ୟକ ବୋଲି ବାଚସ୍ପତି କହିଥିଲେ। ସିବିଆଇ ମାମଲାର ତଦନ୍ତ କରୁଛି ଏବଂ ସୁପ୍ରିମକୋର୍ଟରେ ଏହା ବିଚାରାଧୀନ ରହିଛି। ତେଣୁ ସବୁ ପରୀକ୍ଷା ଉପରେ ପ୍ରଶ୍ନ ନ ଉଠାଇ କିପରି ପରୀକ୍ଷା ବ୍ୟବସ୍ଥାରେ ଉନ୍ନତି ଆସିପାରିବ, ତାହା ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି ବାଚସ୍ପତି କହିଥିଲେ।

Share