ତାଳଚେର,୭ା୭(ନି.ପ୍ର.): ତାଳଚେର ଅଞ୍ଚଳର ବିଭିନ୍ନ ହୋଟେଲରେ ବାସି ଖାଦ୍ୟ ଦିଆଯାଉଥିବା ନେଇ ଅଭିଯୋଗ ପରେ ବୁଧବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସହରର ପ୍ରାୟ ୧୩ଟି ହୋଟେଲରେ ଖାଦ୍ୟର ମାନ ଯାଞ୍ଚ କରାଯିବା ସହିତ ଜରିମାନା ଆଦାୟ କରାଯାଇଛି। ସୂଚନା ଅନୁଯାୟୀ, ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ଏଡିଏମ୍ଓ ଡାକ୍ତର ଧନଞ୍ଜୟ ବେହେରା, ଫୁଡ୍ ଇନ୍ସପେକ୍ଟର ହରପ୍ରିୟା ବେହେରା, ନୀଳାମ୍ବର ପ୍ରଧାନ ଏବଂ ତାଳଚେର ପୌର ନିର୍ବାହୀ ଅଧିକାରୀ ରଶ୍ମିରେଖା ଅମାନ୍ତ ତାଳଚେର ସହରରେ ପହଞ୍ଚି ବସ୍ଷ୍ଟାଣ୍ଟରେ ରହିଥିବା ଏକ ହୋଟେଲରେ ଚଢ଼ାଉ କରିଥିଲେ। ସେଠାରେ ଖାଦ୍ୟର ମାନ ଓ ଲାଇସେନ୍ସ ଯାଞ୍ଚ କରିଥିଲେ। କାଗଜପତ୍ର ଠିକ୍ ନ ଥିବାରୁ ୨ ହଜାର ଟଙ୍କା ଜରିମାନା କରିଥିଲେ। ପରେ ଉକ୍ତ ଟିମ୍ ବାଇପାସ୍ ଛକରେ ଥିବା ଏକ ଢାବାରେ ଚଢ଼ାଉ କରି ବାସିଖାଦ୍ୟ ଏବଂ ଫ୍ରିଜ୍ରେ ମଦ ରହିଥିବା ଦେଖିବାକୁ ପାଇଥିଲେ। ଏଡିଏମ୍ଓ ବିରକ୍ତି ପ୍ରକାଶ କରିବା ସହିତ ୨ ହଜାର ଟଙ୍କା ଜରିମାନା କରିଥିଲେ। ଅନ୍ୟ ଏକ ହୋଟେଲରେ ଚଢ଼ାଉ କରି ବାସି ଖାଦ୍ୟ ଥିବାରୁ ୨ ହଜାର ଟଙ୍କା ଜରିମାନା କରିବା ସହ ସପ୍ତାହେ ମଧ୍ୟରେ ଟ୍ରେଡ୍ ଲାଇସେନ୍ସ କରିବାକୁ ତାଗିଦ୍ କରିଥିଲେ। ହାଟତୋଟା ରୋଡ୍ରେ ଥିବା ଏକ ରେଷ୍ଟୁରାଣ୍ଟରେ ଅତି ନିମ୍ନମାନର ଏବଂ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ ହେଉଥିବା ବେଳେ ବାସି ଖାଦ୍ୟକୁ ଚଢ଼ାଉକାରୀ ଟିମ୍ ଫିଙ୍ଗି ଦେଇଥିଲେ। ଖାଦ୍ୟ ନିରାପତ୍ତା ପ୍ରମାଣପତ୍ର ଏବଂ ବାର୍ ଲାଇସେନ୍ସ ଦେଖାଇ ନ ପାରିବାରୁ ୫ ହଜାର ଟଙ୍କାର ଜରିମାନା କରାଯାଇଥିଲା। ଅନ୍ୟ ୨ ହୋଟେଲକୁ ହଜାରେ ଟଙ୍କା ଲେଖାଏ ଜରିମାନା କରାଯାଇଥିଲା। ହାଣ୍ଡିଧୁଆ ଅଞ୍ଚଳରେ ଥିବା ଏକ ଢାବା ଉପରେ ଚଢ଼ାଉ କରାଯାଇ ୧ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ସହରରେ ଥିବା ଏକ ସ୍ନାକ୍ସ ବାର ଏବଂ ଫଳ ଦୋକାନ ଏବଂ କିଛି ରାଶନ ଦୋକାନରେ ଯାଞ୍ଚ କରାଯାଇ ଶୁଖିଲା ଖାଦ୍ୟର ମାନ ଯାଞ୍ଚ କରାଯାଇ ହଜାରେ ଟଙ୍କା ଲେଖାଏ ଜରିମାନା ଆଦାୟ କରାଯାଇଥିବା ଫୁଡ଼ ଇନ୍ସପେକ୍ଟର ହରପ୍ରିୟା ବେହେରା ସୂଚନା ଦେଇଛନ୍ତି। ଆଗାମୀ ଦିନରେ ଏହି ଟିମ୍ ବିଭିନ୍ନ ହୋଟେଲ, ଫଳରସ ଦୋକାନ, ଫାଷ୍ଟ ଫୁଡ ଏବଂ ରାଶନ ଦୋକାନ ସହିତ ବୁଲା ବିକାଳିଙ୍କ ଖାଦ୍ୟର ମାନ ଯାଞ୍ଚ କରିବ ବୋଲି ଏଡିଏମ୍ଓ ଡାକ୍ତର ଧନଞ୍ଜୟ ବେହେରା ପ୍ରକାଶ କରିଛନ୍ତି।