ନୀଳଗିରି, ୧୯।୫(ସ୍ବ.ପ୍ର.): ନୀଳଗିରି ତହସିଲ ଅଧୀନ ବେଗୁନିଆ ପଥରଖାଦାନ ସରକାରୀ ସ୍ତରରେ ବନ୍ଦ ରହିଥିବା ବେଳେ ପଥର ମାଫିଆମାନେ ଚୋରାରେ ବ୍ଲାଷ୍ଟିଂ କରି ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ଲୁଟ୍ କରି ଚାଲିଥିଲେ। ପ୍ରତିଦିନ ଟ୍ରିପ ଟ୍ରିପ ମେଟାଲ ଓ ପଥର ଚାଲାଣ ହେଉଥିବା ବେଳେ ଏନେଇ ତହସିଲଦାରଙ୍କ ନଜରକୁ ଆସିଥିଲା। ବୁଧବାର ନୀଳଗିରି ତହସିଲଦାର ଅଶେଷ କୁମାର ନାୟକ ପୋଲିସ ଫୋର୍ସ ସହ ମିତ୍ରପୁର ଆରଆଇ ରବିକା ନାୟକ, ଏଆରଆଇ ଲିପିକା ଦାସଙ୍କୁ ନେଇ ବେଗୁନିଆ ପଥରଖାଦାନ ଉପରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ତହସିଲଦାର ଅଶେଷ କୁମାର ନାୟକ ମେଟାଲ ଓ ପଥର ଗଚ୍ଛିତ ଥିବା ଦେଖିବାକୁ ପାଇଥିଲେ। ପରେ ଗଚ୍ଛିତ ପଥରକୁ ମାପ କଲାପରେ ୩୦୦ ସିଏମ୍ ପଥରକୁ ଜବତ କରିବା ୨୦ଜଣଙ୍କ ନାମରେ ଜରିମାନା ଆଦାୟ କରାଯିବା ସହ ଜବତ ପଥର ମୂଲ୍ୟ ୪ଲକ୍ଷ ଟଙ୍କା ଆନୁମାନିକ ହେବ ବୋଲି ନୀଳଗିରି ତହସିଲଦାର ସୂଚନା ଦେଇଛନ୍ତି।