Categories: ଅନୁଗୋଳ

ବେଆଇନ ଲିଚି କାରଖାନାରେ ଚଢ଼ାଉ

ଅନୁଗୋଳ ଅଫିସ,୧୬।୫: ତାଳଚେର ଥାନା ହାଟତୋଟା କାଳୀ ମନ୍ଦିର ନିକଟରେ ଥିବା ଏକ ବେଆଇନ ଲିଚି କାରଖାନାରେ ପୋଲିସ ଚଢାଉ କରି ଅପମିଶ୍ରଣ ଖାଦ୍ୟ ସାମଗ୍ରୀ ସମେତ ଲିଚି ଜବତ କରିଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଘଟଣାରୁ ଜଣାପଡ଼ିଛି, ଗତ ୬ ତାରିଖରେ ତାଳଚେର ଥାନା ଆଇଆଇସି ଶ୍ରୀନିବାସ ସେଠୀଙ୍କୁ ଉକ୍ତ ବେଆଇନ ଲିଚି କାରଖାନା ସମ୍ପର୍କରେ ଖବର ମିଳିଥିଲା। ରବିବାର ପୋଲିସ ପକ୍ଷରୁ ସେଠାରେ ଚଢ଼ାଉ କରାଯାଇଥିଲା। ପୋଲିସ ସହ ଅନୁଗୋଳ ଖାଦ୍ୟ ସୁରକ୍ଷା ଅଧିକାରୀ ଉପସ୍ଥିତ ଥିଲେ। ଉକ୍ତ ଘରେ ଦୀର୍ଘଦିନ ଧରି ବେଆଇନ ଭାବେ ଅପମିଶ୍ରିତ ପାନୀୟ ସାମଗ୍ରୀ ତିଆରି ହୋଇଆସୁଥିଲା। ପରେ ଏହାକୁ ବାଜରରେ ବିକ୍ରି କରାଯାଉଥିଲା। ଚଢାଉ ବେଳେ ୧୩୮୦ ଲିଚି ବୋତଲ, ପ୍ଲାଷ୍ଟିକ ଜାର, ୧୫୦୦ ପ୍ଲାଷ୍ଟିକ ବୋତଲ, ଗୋଟିଏ ଓଜନ ମେଶିନ, ୨୦ ପାଣି ଭର୍ତ୍ତି ଜାର, ଆଲୁମିନିୟମ ବାଲ୍‌ଟି, ଗୋଟିଏ ପାଣି ଭର୍ତ୍ତି ଷ୍ଟିଲ ଡ୍ରମ, ୧୦୦୦୦ ପ୍ଲାଷ୍ଟିକ ଷ୍ଟ୍ର ପାଇପ ଆଦି ସାମଗ୍ରୀ ଜବତ କରାଯାଇଛି। ଉକ୍ତ କାରଖାନା କର୍ତ୍ତୃପକ୍ଷଙ୍କ ନିକଟରେ ଖାଦ୍ୟ, ବ୍ୟବସାୟ, ପ୍ୟାକେଜିଂ ଆଦି ନିମନ୍ତେ କୌଣସି ଲାଇସେନ୍ସ ନ ଥିବା ପୋଲିସ କହିଛି। ଏ ନେଇ ନଂ. ୩୦୨/ ୨୨ରେ ଏକ ମାମଲା ରୁଜୁ କରାଯାଇଛି।