Categories: ଜାତୀୟ

କୋଠା ଭୁଷୁଡିବାର ୨୦ ଘଣ୍ଟା ପରେ ଜୀବନ୍ତ ଉଦ୍ଧାର ହେଲେ ୪ବର୍ଷର ଶିଶୁ

ରାୟଗଡ଼,୨୫।୮: ମହାରାଷ୍ଟ୍ରର ରାୟଗଡ଼ରେ ସୋମବାର ଏକ ୫ମହଲା କୋଠା ଭୁଷୁଡି ପଡିଥିବା ବେଳେ ଏହି ଘଟଣାରେ ଏପର୍ଯ୍ୟନ୍ତ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରେ ୩ ପୁରୁଷ ଓ ୨ ମହିଳା ରହିଛନ୍ତି। କୋଠାଟି ଭୁଷୁଡି ପଡିବା ପରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡିଥିଲେ। ଦୀର୍ଘ ପ୍ରାୟ ୨୦ ଘଣ୍ଟା ପରେ ଭଙ୍ଗା କୋଠା ତଳୁ ଉଦ୍ଧାରକାରୀ ଦଳ ଜଣେ ୪ ବର୍ଷର ଶିଶୁଙ୍କୁ ଉଦ୍ଧାର କରିଥିବା ଜଣାପଡିଛି। ଏନ୍‌ଡିଆର୍‌ଏଫ୍‌ର ଡେପୁଟି କମାଣ୍ଡରଙ୍କ ସୂଚନା ଅନୁଯାୟୀ, ଉଦ୍ଧାର କାର୍ଯ୍ୟ ଚାଲିଥିବା ସମୟରେ ଶିଶୁଟି ଏକ କୋଣରେ ସିମେଣ୍ଟ ବାଲିରେ ଜୁଡୁବୁଡୁ ହୋଇ ବସି ରହିଥିଲା। ଏନ୍‌ଡିଆର୍‌ଏଫ୍‌ ଟିମ୍‌ର ୨ ଜଣ ସଦସ୍ୟ ଶିଶୁଟିକୁ ଦେଖି ଉଦ୍ଧାର କରିଥିଲେ। ସେତେବେଳକୁ ଶିଶୁଟି ସମ୍ପୂର୍ଣ୍ଣ ଡରି ଯାଇଥିଲା। ସେ ସୁସ୍ଥ ଅନୁଭବ କରୁଥିଲେ ବି ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଏହି ଦୁର୍ଘଟଣାରେ ୧୭ ଜଣ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଛି।

Share