ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ରାୟଗଡ଼ା ଚାଷୀ

ରାୟଗଡ଼ା,୧ା୧୨(ଆଶିଷ ରଞ୍ଜନ ପଣ୍ଡା):ରାୟଗଡ଼ା ବ୍ଲକ ହାଲୁଆ ପଞ୍ଚାୟତ କାର୍ଯ୍ୟାଳୟଠାରେ କେନ୍ଦ୍ର ସରକାରଙ୍କ ଆମ ସଙ୍କଳ୍ପ ବିକଶିତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ରଥ ଗୁରୁବାର ହାଲୁଆରେ ପହଞ୍ଚତ୍ବା ପରେ ଜିଲା ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ସରକାରଙ୍କ ଯୋଜନାର ଲାଭାର୍ଥୀ ହୋଇଥିବା ରାୟଗଡ଼ାର ଜଣେ ଚାଷୀ ପୂର୍ଣ୍ଣଚନ୍ଦ୍ର ବେନିଆଙ୍କ ସମେତ ଅନେକ ହିତାଧିକାରୀଙ୍କ ସହ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ କଥା ହୋଇଛନ୍ତି। ଏହି ଅବସରରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ତାଙ୍କର ମତ ପଚାରିଥିଲେ। ଏ ସମ୍ପର୍କରେ ହାଲୁଆ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଭାରତ ସରକାରଙ୍କର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ପିଏମ୍‌ କିଷାନ, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଉପକୃତ ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦେଶର ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇ ସେ ଖୁବ୍‌ ଖୁସି ଥିବା କହିଛନ୍ତି। ୨୦୪୭ ସୁଦ୍ଧା ଦେଶକୁ କିଭଳି ବିକଶିତ ଭାରତ ଭାବେ ଗଠନ କରାଯିବ ସେଥିପାଇଁ ସଂକଳ୍ପ ନେବାକୁ ସମସ୍ତ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ବିଭିନ୍ନ ଗାଁ ଲୋକେ ସାମିଲ ହୋଇଥିଲେ। ଲୋକଙ୍କ ପାଇଁ କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ବିଭିନ୍ନ ବିଭାଗର ଷ୍ଟଲ୍‌, ସ୍ବାସ୍ଥ୍ୟ ଶିବିର ଓ ସଚେତନତା ଶିବିର ଖୋଲାଯାଇଥିଲା। ଦୁଇଟି ରଥ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଯୋଜନା ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲା ପରିଷଦ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହଁର, ବିଡିଓ ଅମୂଲ୍ୟ ଚନ୍ଦ୍ର ସାହୁ, ଏବିଡିଓ କାଳୁଚରଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।