ଆବର୍ଜନାରେ ପୋତି ହୋଇଛି ରାୟଗୁରୁ ମଠ ବନ୍ଧ

ବ୍ରହ୍ମପୁର ଅଫିସ,୧୮।୧୧: ବ୍ରହ୍ମପୁର ସହରରେ ଅନେକ ଜଳାଶୟ ଏବେ ଆବର୍ଜନାପୂର୍ଣ୍ଣ ହୋଇ ପାଣି ଦୂଷିତ ହୋଇଛି। ସହରରେ ପ୍ରାୟ ୪୨ଜଳାଶୟ ରହିଛି। ଏହି ଜଳାଶୟର ପାଣିକୁ ସ୍ଥାନୀୟ ବାସିନ୍ଦା ଦୈନନ୍ଦିନ କାର୍ଯ୍ୟଠାରୁ ଆରମ୍ଭ କରି ନିତ୍ୟକର୍ମ ନିମନ୍ତେ ବ୍ୟବହାର କରିଥାନ୍ତି। ଏଥିସହ ମନ୍ଦିର ନିକଟରେ ଥିବା ଜଳାଶୟର ପାଣି ମନ୍ଦିର କାର୍ଯ୍ୟ ନିମନ୍ତେ ବ୍ୟବହାର କରାଯାଉଛି। କିନ୍ତୁ ଏହି ଜଳାଶୟଗୁଡିକର ଉଚିତ ରକ୍ଷଣାବେକ୍ଷଣ ଅଭାବରୁ ଦୂଷିତ ହେବା ସାଙ୍ଗକୁ ଆବର୍ଜନା ପୂର୍ଣ୍ଣ ହୋଇ ଅନେକ ପୋଖରୀ ପୋତି ହୋଇଯାଉଥିବା ଦେଖିବାକୁ ମିଳିଛି। ଏଭଳି ଭାବେ ବ୍ରହ୍ମପୁର ମହାନଗର ନିଗମ ୧୪ ନଂ. ୱାର୍ଡରେ ରାୟଗୁରୁ ମଠ ମନ୍ଦିରର ଏକ ପୁରାତନ ପୋଖରୀ ରହିଛି। ପୂର୍ବରୁ ଏହି ପୋଖରୀ ପାଣିକୁ ମନ୍ଦିର କାର୍ଯ୍ୟ ସହ ସ୍ଥାନୀୟ ବାସିନ୍ଦା ମଧ୍ୟ ବ୍ୟବହାର କରୁଥିଲେ। ଯାହାଦ୍ୱାରା ସ୍ଥାନୀୟ ବାସିନ୍ଦା ବହୁ ପରିମାଣରେ ଉପକୃତ ହୋଇପାରୁଥିଲେ। କିନ୍ତୁ ସମୟକ୍ରମେ ପୋଖରୀ ଉଚିତ ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ଏହା ଆବର୍ଜନାରେ ଭର୍ତ୍ତି ହୋଇ ଅଧାରୁ ଅଧିକାଂଶ ପୋତି ହେବାକୁ ବସିଛି।
ସ୍ଥାନୀୟ କେତେକ ହୋଟେଲ ବ୍ୟବସାୟୀ ସମସ୍ତ ଆବର୍ଜନା ପୋଖରୀ ମଧ୍ୟରେ ପକାଉଥିବା ଅଭିଯୋଗ ହୋଇଛି। ଏଥିସହ ପୋଖରୀ ଚତୁଃପାର୍ଶ୍ୱରେ ଅନେକ ଘର ରହିଥିବା ବେଳେ ବହୁ ବାସିନ୍ଦା ମଇଳା ପାଣି ନିଷ୍କାସନ କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ଅନ୍ୟପଟେ ଏହାର ପାଣି ମନ୍ଦିର କାର୍ଯ୍ୟ ନିମନ୍ତେ ବ୍ୟବହୃତ ହେଉଥିବା ବେଳେ ଏଭଳି ସ୍ଥିତି ଯୋଗୁ ବର୍ତ୍ତମାନ ଏହା ବ୍ୟବହୃତ ହୋଇପାରୁ ନାହିଁ। ତତ୍‌ସହିତ ମନ୍ଦିର କମିଟି ପକ୍ଷରୁ ବାରମ୍ବାର ସ୍ଥାନୀୟ କର୍ପୋରେଟର, ପ୍ରଶାସନ ଓ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ କୌଣସି ସହଯୋଗ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଆବର୍ଜନାପୂର୍ଣ୍ଣ ହୋଇ ବର୍ତ୍ତମାନ ସେଠାକାର ପରିବେଶ ଦୂଷିତ ଓ ମଶା ମାଛିଙ୍କ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ସଞ୍ଜ ନଇଁଲେ ପୋଖରୀ ପାର୍ଶ୍ୱରେ ଅସାମାଜିକ ତତ୍ତ୍ୱଙ୍କ ଆଡ୍ଡା ଜମୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏଣୁ ସ୍ଥାନୀୟ ଲୋକ ପ୍ରତିନିଧି, ବିଏମ୍‌ସି କର୍ତ୍ତୃପକ୍ଷ ପୋଖରୀ ସଫେଇ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି।