ପଣ୍ୟ ପରିବହନରେ ରେଳପଥର ରିହାତି ଘୋଷଣା

ଭୁବନେଶ୍ୱର,୧୦।୭ (ବ୍ୟୁରୋ): ପଣ୍ୟ ପରିବହନ କ୍ଷେତ୍ରରେ ପ୍ରୋତ୍ସାହନ ଦେବାକୁ ଭାରତୀୟ ରେଳପଥ ପକ୍ଷରୁ ରିହାତି ଘୋଷଣା କରାଯାଇଛି। ସ୍ବଳ୍ପ ଓ ଅଧିକ ଦୂରତ୍ୱ ପଣ୍ୟ ପରିବହନ କ୍ଷେତ୍ରରେ ଭଡାରେ ରିହାତି ଦେବା ପାଇଁ ସ୍ଥିର ହୋଇଛି। କୋଇଲା, ଲୁହାପଥର, ଲୌହ ଜାତୀୟ ସାମଗ୍ରୀ, ସାମରିକ ଦ୍ରବ୍ୟ ପରିବହନ, ରେଳପଥ ସରଞ୍ଜାମ ଏବଂ କଣ୍ଟେନର ପରିବହନ ବ୍ୟତୀତ ସ୍ବଳ୍ପ ଦୂରତା ପାଇଁ ଅନ୍ୟାନ୍ୟ ପଣ୍ୟ ପରିବହନରେ ୫୦ କିମି ପର୍ଯ୍ୟନ୍ତ ୫୦% ରିହାତି ଦିଆଯିବ। ସେହିଭଳି ୫୧ରୁ ୭୫ କିମି ପର୍ଯ୍ୟନ୍ତ ଦୂରତ୍ୱ ପରିବହନ ପାଇଁ ୨୫% ରିହାତି ଏବଂ ୭୬ରୁ ୯୦ କିମି ପର୍ଯ୍ୟନ୍ତ ପରିବହନ ପାଇଁ ୧୦% ରିହାତି ଦିଆଯିବ। ୯୧ରୁ ୧୦୦ କିମି ଦୂରତ୍ୱ ପାଇଁ ପଣ୍ୟ ପରିବହନ ଦେୟ ଅପରିବର୍ତ୍ତିତ ରହିବ। ଏହି ରିହାତି କୋଇଲା, ଲୁହାପଥର, ଲୌହ ଜାତୀୟ ସାମଗ୍ରୀ, ସାମରିକ ଦ୍ରବ୍ୟ ପରିବହନ, ରେଳପଥ ସରଞ୍ଜାମ ଏବଂ କଣ୍ଟେନର ପରିବହନ ବ୍ୟତୀତ ଅନ୍ୟ ସମସ୍ତ ସାମଗ୍ରୀ ପରିବହନ ପାଇଁ ଲାଗୁ ହେବ। ୨୦୨୦ ଜୁଲାଇ ପହିଲାରୁ ୨୦୨୧ ଜୁନ ୩୦ ପର୍ଯ୍ୟନ୍ତ ଏହି ରିହାତି ଲାଗୁ କରାଯାଇଛି। କେବଳ ଦେଶର ପୂର୍ବ-ଉତ୍ତର କ୍ଷେତ୍ରକୁ ଏବଂ ଏହାର ପରିସୀମା ମଧ୍ୟରୁ ପଣ୍ୟ ପରିବହନ ପାଇଁ ୬% ରିହାତି ଲାଗୁ କରାଯିବ। ପୂର୍ବରୁ ସ୍ବଳ୍ପ ଦୂରଗାମୀ ପଣ୍ୟ ପରିବହନ ପାଇଁ ଅତି କମ୍‌ରେ ୧୦୦କିମି ପର୍ଯ୍ୟନ୍ତ ପରିବହନ ବାବଦରେ ଭଡା ଧାର୍ଯ୍ୟ କରାଯାଇଥିଲା।

Share